ମାସ୍କ ତିଆରି କରୁଛନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା

ବରଗଡ,ଏନ୍ଏନ୍ଏସ୍ : କରୋନା ସଂକ୍ରମଣ ରୋକିବା ନେଇ ମୁହଁରେ ମାସ୍କ ବାନ୍ଧିବା ସହ ବାରମ୍ବାର ସାବୁନରେ ହାତ ଧୋଇବାକୁ ପରାମର୍ଶ ଦିଆଯାଇଛି । ଏପରି ସ୍ଥଳେ ବଜାରରେ ମାସ୍କର ଅଭାବ ପରିଲକ୍ଷିତ ହେବା ସହ କେତେକ ସ୍ଥଳରେ ଚଢ଼ା ଦରରେ ବିକ୍ରୀ ହେଉଛି । ଅପରପକ୍ଷେ ମାସ୍କର ଚାହିଦା ପୂରଣ ପାଇଁ ବରଗଡ଼ରେ ଅଣ୍ଟା ଭିଡିଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା । ଏହି କ୍ରମରେ ବରଗଡ଼ ଜିଲ୍ଳା ଅମ୍ବାଭୋନା ବ୍ଳକ ଦେବଜାନୀ ଏସଏଚଜି , ବରଗଡ଼ର ଶ୍ରୀମା ଏସଏଚଜି ଏବଂ ବରପାଲିର ମା ମମତା ଏସଏଚଜିର ସଦସ୍ୟାମାନେ ମାସ୍କ ତିଆରି କରିବାରେ ଲାଗିଛନ୍ତି । ଫଳରେ ବରଗଡ଼ ସହରରେ କିଛି ମାତ୍ରାରେ ମାସ୍କର ଚାହିଦା ପୂରଣ ହୋଇପାରିବ ବୋଲି ଆଶା କରାଯାଉଛି ।