ବରଗଡ଼ ଧନୁଯାତ୍ରା : ଭୁବନେଶ୍ୱର ପୁଣି ହେବେ କଂସ

ଡିସେମ୍ବର ୧ ରେ ଶୁଭଧ୍ୱଜା ସ୍ଥାପନ

ବରଗଡ଼, ଏନ୍ଏନ୍ଏସ୍ : ଡିସେମ୍ବର ୩୧ ତାରିଖରୁ ଜାନୁଆରୀ ୧୦ ତାରିଖ ପର୍ଯ୍ୟନ୍ତ ବିଶ୍ୱର ସର୍ବବୃହତ ଖୋଲା ରଙ୍ଗମଂଚ ବରଗଡ଼ ଧନୁଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ଏହାର ମହାନାୟକ କଂସ ଭୂମିକାରେ ପୁଣି ଥରେ ଭୁବନେଶ୍ୱର ପ୍ରଧାନ ଅଭିନୟ କରିବେ । ଗୁରୁବାର ଧନୁଯାତ୍ରା ମହୋତ୍ସବ ସମିତିର ଅଧ୍ୟକ୍ଷ ତଥା ବରଗଡ଼ ଜିଲ୍ଳାପାଳ ଜ୍ୟୋତିରଂଜନ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକାରୀ କମିଟୀ ବୈଠକରେ ଏ ନେଇ ନିଷ୍ପତି ନିଆଯାଇଥିଲା ।

ସେହିପରି ଧନୁଯାତ୍ରାରେ କୌଣସି ବାଧାବିଘ୍ନ ନ ଘଟିବା ପାଇଁ ଆଗାମୀ ଡିସେମ୍ବର ୧ ତାରିଖରେ ଶୁଭ ଧ୍ୱଜା ସ୍ଥାପିତ ହେବ ବୋଲି ଏ ଅବସରରେ ସୂଚନା ଦିଆଯାଇଥିଲା । ଧନୁଯାତ୍ରାରେ କଳାକାର ମାନେ ଉଚ୍ଚାରଣ କରୁଥିବା ସଂଳାପକୁ ସମ୍ବଲପୁରୀ-କୋସଳୀରେ ପରିବେଷଣ କରିବାପାଇଁ ଦାବି ହୋଇ ଆସୁଥିଲା। ଏହାକୁ ନେଇ କିଛି ସଂଗଠନ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ଯେହେତୁ ବରଗଡ଼ ଧନୁଯାତ୍ରା ବିଶ୍ୱପ୍ରସିଦ୍ଧ ଏବଂ ଦେଶ ବିଦେଶରୁ ମଧ୍ୟ ଦର୍ଶକ ଏଠାକୁ ଆସୁଛନ୍ତି। ସମସ୍ତ ଦିଗକୁ ତର୍ଜମା କରି ଏବଂ ଏକ ଲୋକନାଟକର ପରମ୍ପରା ଅନୁସାରେ ଯେହେତୁ ଏହି ଧନୁଯାତ୍ରା ବିନା ପାଣ୍ଡୁଲିପିରେ ହୋଇ ଆସୁଅଛି ସେଥିପାଇଁ ନିଦ୍ଦିଷ୍ଟ ଗୋଟିଏ ଭାଷାରେ ଏହାର ସଂଳାପ ଗୁଡ଼ିକୁ ସିମୀତ ନକରି କଳାକାର ମାନେ ନିଜ ମନଗଢା ସଂଳାପ ଯେଉଁ ଯେଉଁ ଭାଷାରେ ପରିବେଷଣ କରିବେ ତାକୁ ଗ୍ରହଣ କରାଯିବ ବୋଲି କୁହାଯାଇଛି।


ସୂଚନା ଅନୁଯାୟୀ, ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ପୌରାଣିକ କଥାବସ୍ତ୍ୁକୁ ଆଧାର କରି କୃଷ୍ଣ ଲୀଳା ତଥା କଂସ ବଧ ଖୋଲା ରଙ୍ଗମଂଚରେ ଅଭିନୀତ ହୋଇଥାଏ । ୧୧ ଦିନ ଧରି ଅନୁଷ୍ଠିତ ଏହି ଲୋକନାଟକରେ ବରଗଡ଼ ମଥୁରାନଗରୀ , ଅମ୍ବାପାଲି ଗୋପପୁର ଭାବରେ ରୂପାନ୍ତରିତ ହୋଇଥାଏ । ସେହିପରି ବରଗଡ଼-ଅମ୍ବାପାଲି ମଧ୍ୟରେ ବୋହିଯାଉଥିବା ଜୀରା ନଦୀ ଯମୁନା ନଦୀ ଭାବରେ ରୂପାନ୍ତରିତ ହୋଇଥାଏ । ଏ ଅବସରରେ ଗୋପପୁର-ଅମ୍ବାପାଲିରେ କୃଷ୍ଣଲୀଲା ଏବଂ ମଥୁରା ନଗରୀ ବରଗଡ଼ରେ କଂସଙ୍କ ରାଜତ୍ୱ ଚାଲିଥାଏ ଏବଂ ସମସ୍ତ ଜନସାଧାରଣ ପୌରାଣିକ କଥାବସ୍ତ୍ୁ ଆଧାରରେ ମହାରାଜା କଂସଙ୍କ ଜଣେ ଜଣେ ପ୍ରଜା ଭାବରେ ପରିଗଣିତ ହୋଇଥା’ନ୍ତି । ସେହିପରି ମଥୁରା ନଗରୀରେ ମହାରାଜା କଂସଙ୍କ ଆଦେଶରେ ସମସ୍ତେ ଆତଯାତ ହୋଇଥାନ୍ତି । ଯାହାକି ଦୀର୍ଘ ୭୦ ବର୍ଷ ଧରି ବରଗଡ଼ ତଥା ଆଖପାଖ ଅଂଚଳରେ ଏକ ପରମ୍ପରା ଭାବରେ ଚଳି ଆସୁଥିବା ବେଳେ ଚଳିତ ବର୍ଷ ଏହା ୭୧ ତମ ବର୍ଷରେ ପଦାର୍ପଣ କରିବ । ଆଜିର କାର୍ଯ୍ୟକାରିଣୀ ବୈଠକରେ କାର୍ଯ୍ୟକାରୀ ସଭାପତି ବରଗଡ଼ ଏସପି ପଦ୍ମିନୀ ସାହୁ , ଅତିରିକ୍ତ ଜିଲ୍ଳାପାଳ ମିର୍ଧା ଟପ୍ପୋ, ଉପଜିଲ୍ଳାପାଳ ପ୍ରଭାସଚନ୍ଦ୍ର ଡନସେନା , ଆବାହକ ସୁରେଶ୍ୱର ଶତପଥୀ ସମେତ ବିଭିନ୍ନ କମିଟୀର କର୍ମକର୍ତାମାନେ ଉପସ୍ଥିତ ଥିଲେ ।