ଧନୁଯାତ୍ରା ଚତୁର୍ଥ ଦିବସ : ପୁତନା ବଧ, ଗୋପରେ ଉତ୍ସବ

ବରଗଡ଼,ଏନ୍ଏନ୍ଏସ୍ : ବିଶ୍ୱର ସର୍ବ ବୃହତ ଖୋଲା ରଙ୍ଗମଞ୍ଚ ଭାବେ ପରିଚିତ ବରଗଡ଼ ଧନୁଯାତ୍ରା ଚତୁର୍ଥ ଦିନରେ ପହଞ୍ଚିଛି। ଚତୁର୍ଥ ଦିନରେ ଭଗବାନ ଶ୍ରୀକୃଷ୍ଣ ବଳରାମଙ୍କ ହସ୍ତରେ କଂସଙ୍କ ପ୍ରେରିତ ପୁତନା ରାକ୍ଷସୀ ସମେତ ଷଡ଼ମଲ୍ଲଙ୍କ ସଂହାର ହୋଇଥିବା ବେଳେ ଗୋପପୁରରେ ଏବେ ଦେଖାଦେଇଛି ଉତ୍ସବର ମାହୋଲ। ସେହିପରି ମଧୁରା ନଗରୀ କଂସଙ୍କ ରାଜତ୍ୱରେ ଥର ହର ହୋଇପଡ଼ିଥିବା ବେଳେ ଦୈବବାଣୀରେ ଚିନ୍ତିତ ମହାରାଜା କଂସ ମୁକ୍ତେଶ୍ୱର ବାବାଙ୍କ ଠାରେ ରୁଦ୍ରାଭିଷେକ କରିଛନ୍ତି।

ଭଗବାନ ଶ୍ରୀକୃଷ୍ଣ ଚନ୍ଦ୍ରକଳା ପରି ବଢ଼ି ଚାଲିଛନ୍ତି ଗୋପପୁରରେ। ନଟଖଟ କାହ୍ନାଙ୍କ ଲୀଳା ଖେଳା ଗୋପରେ ଚାଲିଛି। ମାଟି ଖାଉଥିବା ବେଳେ ମାତା ଯଶୋଦା ନଟଖଟ କୃଷ୍ଣଙ୍କୁ ପାଟି ଆଁ କରିବାକୁ କହି ବିଶ୍ୱରୂପ ଦର୍ଶନ କରିଛନ୍ତି। ଧନୁଯାତ୍ରାର ଚତୁର୍ଥ ଦିବସରେ କୃଷ୍ଣ ବଳରାମଙ୍କୁ ଗାଁ ଦାଣ୍ଡରେ ସ୍ୱାଗତ କରିବା ପାଇଁ ଚିତା ଅଙ୍କନ କରାଯାଇ ପୂର୍ଣ୍ଣ କଳସ ସ୍ଥାପନ କରିବା ସହ ଘରେ ଘରେ ଧୂପଦୀପ ଦେଇ ପାଦ ପ୍ରକ୍ଷାଳନ କରିଥିଲେ ଗୋପପୁରବାସୀ। ସେହିପରି ସାମାନ୍ୟ ଛାର ବାଳକଟିକୁ ମାରିବା ପାଇଁ କଂସରାଜାଙ୍କ ନିମନ୍ତ୍ରଣ ନେଇ ମନରେ ବିସ୍ମୟ ଜାତ ହେଉଥିଲେ ମଧ୍ୟ ଷଡ଼ମଲ୍ଲ ଗୋପାଭିମୁଖୀ ହୋଇ ନିଜର ମାୟା ଯୁଦ୍ଧ ପାଇଁ ରାଜାଙ୍କ ଆଦେଶକୁ ଅବମାନନା କରିନାହାନ୍ତି। ନିଜର ମୃତ୍ୟୁ ସୁନିଶ୍ଚିତ ଜାଣି ସୁଦ୍ଧା ଅସୁର ଯୋଦ୍ଧାମାନେ ଗୋପକୁ ପ୍ରବେଶ କରିଛନ୍ତି। କୃଷ୍ଣ ବେନିଭାଇ ଆଜି ଗୋଚାରଣ ସମୟରେ କଂସ ଦ୍ୱାରା ପ୍ରେରୀତ ରାକ୍ଷସରାକ୍ଷସୀ ମାନେ ପହଞ୍ôଚଛନ୍ତି ।

ରାକ୍ଷସୀ ଭଗିନୀ ପୁତନା ନିଜ ସ୍ତନରେ ମାୟାବଳରେ ଉତ୍କଟ ବିଷକୂଟ ଭର୍ତ୍ତି କରି ଶିଶୁ କୃଷ୍ଣଙ୍କୁ ସ୍ତନ୍ୟପାନ କରେଇବା ପାଇଁ ଉଦ୍ୟମ କରିବା ବେଳେ କୃଷ୍ଣ କ୍ଷୀର ସଙ୍ଗେ ପୁତନାର ପ୍ରାଣଶୋଷି ମଥୁରା ନରେଶ ମାମୁଁ କଂସଙ୍କର କପଟ ଖଣ୍ଡନ କରିଥିଲେ। ପରେ ଗୋପାଳ ବାଳକମାନଙ୍କ ସହିତ ନିକଟସ୍ଥ ଜଙ୍ଗଳକୁ ଗୋଚାରଣ କରିବାକୁ ଯାଇ କଂସ ଦ୍ୱାରା ପ୍ରେରିତ ଷଡ଼ମଲ୍ଲ ବକା, ଶକଟା, ଅଘା, ତୃଣା, ଧେନୁକା ଓ ଷଣ୍ଢାସୁରଙ୍କୁ ପର୍ଯ୍ୟାୟ କ୍ରମେ ହତ୍ୟାକରି ମାମୁଁଙ୍କର ସମସ୍ତ ଚକ୍ରାନ୍ତକୁ ଖଣ୍ଡନ କରି ନିଜର ବାଲ୍ୟ ସୁଲଭ ଚପଳାମିରେ ଜଗତ ଉଦ୍ଧାରର ବାର୍ତ୍ତା ପ୍ରେରଣ କରିଥିଲେ। ପୁତନା ସମେତ ଷଡ଼ମଲ୍ଲଙ୍କର ମୃତ୍ୟୁରେ ଗୋପ ଉତ୍ସବମୁଖର ହୋଇଥିବା ବେଳେ ଏପଟେ ମଥୁରାରେ ମୃତ୍ୟୁର ଆଭାସରେ ଡହଳ ବିକଳ କଂସ ମହାରାଜା ମୁକ୍ତେଶ୍ୱର ମହାଦେବକୁ ଦର୍ଶନ କରି ରୁଦ୍ରାଭିଷେକ କରିଥିଲେ।

ପରେ ରଙ୍ଗମହଲ ରେ ନୃତ୍ୟଗୀତ ଓ ସୁରାରେ ମସଗୁଲ ରହି ସନ୍ଧ୍ୟାରେ ରାଜଦରବାରକୁ ବିଜେ କରି ରକ୍ଷୀ ଠାରୁ ପୁତନା ସମେତ ଷଡ଼ମଲ୍ଲଙ୍କର ନିଧନର ଖବର ପାଇ ମର୍ମାହତ ହୋଇ ସ୍ୱର୍ଗତ ରାକ୍ଷସ କୁଟୁମ୍ବଙ୍କ ଆତ୍ମା ପ୍ରତି ଶୋକ ପ୍ରକଟ କରି ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ରାଜପରିଷଦ ବର୍ଗଙ୍କ ସହିତ ଆଲୋଚନା କରିଥିଲେ। ଶନିବାର ଧନୁଯାତ୍ରାର ପଞ୍ଚମ ଦିବସରେ ଗୋପପୁରରେ କୃଷ୍ଣବଳରାମଙ୍କ ଗୋଚାରଣ, ଦଧୀଚୋରି, ବ୍ରହ୍ମାଙ୍କ ଶ୍ରୀକୃଷ୍ଣଙ୍କୁ ଗୋହନ ବଂଶୀ ପ୍ରଦାନ, ମଥୁରାନଗରୀରେ ମହାରାଜା କଂସଙ୍କ ନଗର ଭ୍ରମଣ, ଦିଗବିଜୟରେ ବାହାରି ଜରାସନ୍ଧ ସହିତ ଯୁଦ୍ଧ ଏବଂ ହେତି ପ୍ରହେତି ସହ ବିବାହ ଦୃଶ୍ୟ ଅଭିନୀତ ହେବ।