ବାରବାଟୀରେ ଭାରତ ୱେଷ୍ଟଇଣ୍ଡିଜ ଦିନିକିଆ: ଆଜି ଠାରୁ ଅଫଲାଇନ୍‌ ଟିକେଟ ବିକ୍ରି

କଟକ,ଏନ୍ଏନ୍ଏସ୍: ଆସନ୍ତା ୨୨ ତାରିଖରେ ବାରବାଟୀ ଠାରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଦିନିକିଆ ଟେଷ୍ଟ ମ୍ୟାଚ୍ ଅନୁଷ୍ଠିତ ହେବ। ତେବେ ଏ ନେଇ ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହୋଇଥିବା ବେଳେ ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ଓସିଏ ସମ୍ମିଳନୀ କକ୍ଷରେ ଅନୁବନ୍ଧିତ ସ୍କୁଲ, କଲେଜ, କ୍ଲବ୍‌ ଇତ୍ୟାଦିଗୁଡ଼ିକ ନିମନ୍ତେ ଟିକେଟ ବିକ୍ରି କରାଯିବ। ସକାଳ ୧୦ଟାରୁ ୫ଟା ପର୍ୟ୍ୟନ୍ତ ଟିକେଟ ବିକ୍ରି ଚାଲିବ।

ସେମାନଙ୍କ ପାଇଁ ୮,୯୪୬ ଟିକେଟ ବିକ୍ରି ପାଇଁ ଧାର୍ୟ୍ୟ କରାଯାଇଛି। ଏଠାରୁ ଯେଉଁ ଟିକେଟ ବଳିଯିବ ତାହା କାଉଣ୍ଟର୍‌ ବିକ୍ରି ପାଇଁ ଯିବ ବୋଲି ଜଣାଯାଇଛି। ସେହିପରି ୧୯ ଓ ୨୦ ତାରିଖରେ ୧୨ଟି କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ ବିକ୍ରି ହେବ। ଟିକେଟ ବିକ୍ରି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ କେବଳ ଟିକେଟ କିଣିବାକୁ ଯାଉଥିବା ବ୍ୟକ୍ତିଙ୍କୁ ହଲ୍‌ ଭିତରକୁ ଛଡ଼ାଯିବ ବୋଲି ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଅନ୍‌ଲାଇନ୍‌ରେ ୮,୧୫୦ ଟିକେଟ ବିକ୍ରି ହୋଇସାରିଛି। କାଉଣ୍ଟର୍‌ରେ ବିକ୍ରି ପାଇଁ ୧୦,୦୫୦ ଟିକେଟ ରଖାଯାଇଛି।