୪୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଧଳାଜହର ଜବତ : ବଣି ଗିରଫ

ବାରିପଦା,ଏନ୍ଏନ୍ଏସ୍: ବାରିପଦା ଟାଉନ୍ ଥାନା ପୁଲିସକୁ ମିଳିଛି ବଡ଼ ସଫଳତା। ୪୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଧଳାଜହର ଜବତ କରିବା ସହିତ କୁଖ୍ୟାତ ବ୍ରାଉନସୁଗର ଚୋରା ବ୍ୟବସାୟୀଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଯୁବକ ଜଣକ ହେଲେ ବାରିପଦା ଟାଉନ ଥାନା ଅଧୀନ ୱାର୍ଡ ନମ୍ବର ୨୭ ତଖତପୁର ଅଞ୍ଚଳର ବୈଦ୍ୟନାଥ ପାଲଙ୍କ ପୁଅ ଗୋବିନ୍ଦ ଚନ୍ଦ୍ର ପାଲ ଓରଫ୍ ବଣି(୩୩)। ବାରିପଦା ସହର ଭିତରକୁ ବହୁ ପରିମାଣରେ ବ୍ରାଉନସୁଗର ଆସିଛି ଏବଂ ଜଣେ ପୁରୁଣା ବ୍ୟବସାୟୀଙ୍କ ନିକଟରେ ଏହା ପହଁଞ୍ଚିଥିବାର ବାରିପଦା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି ବିଶେଷ ସୂତ୍ରରୁ ଖବର ପାଇଥିଲେ। ଏହାପରେ ପୁଲିସର ସ୍ୱତନ୍ତ୍ର ଟିମ୍ ଗୋବିନ୍ଦ ଚନ୍ଦ୍ର ପାଲଙ୍କ ନିକଟରେ ଏହା ପହଁଞ୍ଚିଥିବା ଖବର ପାଇବା ପରେ ଆଜି ସକାଳେ ଗୋବିନ୍ଦଙ୍କ ଘରେ ଅତର୍କିତ ଭାବେ ଚଢ଼ଉ କରି ତଲାସୀ ନିଆଯାଇଥିଲା। ଏହି ସମୟରେ ଏକ ପ୍ଲାଷ୍ଟିକ ଜରି ଭିତରେ ଉକ୍ତ ବ୍ରାଉନସୁଗାର ରହିଥିବାର ଦେଖି ତାହାକୁ ଜବତ କରିଥିଲା ପୁଲିସ। ଜବତ ବ୍ରାଉନସୁଗରର ଓଜନ ୪୧୩ ଗ୍ରାମ ରହିଥିବା ଜଣାପଡ଼ିଛି। ସେହିପରି ଗୋବିନ୍ଦଙ୍କ ଠାରୁ ନଗଦ ୩୪ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି।