ବେଦାନ୍ତ ପରିସରରେ ବନ୍ଦେ ଉତ୍କଳ ଜନନୀ ଗାନ କଲେ କର୍ମଚାରୀ

ଝାରସୁଗୁଡ଼ା,ଏନ୍ଏନ୍ଏସ୍:କରୋନା ଯୁଦ୍ଧରେ ସାମିଲ ଯୋଦ୍ଧାଙ୍କ ତ୍ୟାଗ ଓ ସେବା ମନୋଭାବ ପ୍ରତି ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ବେଦାନ୍ତ ପରିସରରେ କର୍ମଚାରୀମାନେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଛନ୍ତି। ବେଦାନ୍ତ ଝାରସୁଗୁଡ଼ା ଏବଂ ଲାଞ୍ଜିଗଡ଼ସ୍ଥିତ କମ୍ପାନୀ ପରିସରରେ ଏକ ହଜାରରୁ ଊର୍ଦ୍ଧ କର୍ମଚାରୀ ଏବଂ ସହାୟକ ସଂସ୍ଥା କର୍ମଚାରୀ ତଥା ଟାଉନସିପିରେ ସେମାନଙ୍କ ପରିବାରବର୍ଗ ଉପସ୍ଥିତ ରହି ବନ୍ଦେ ଉତ୍କଳ ଜନନୀ ଗାଇଥିଲେ। ଏହି ଅବସରରେ ବେଦାନ୍ତ ଝାରସୁଗୁଡ଼ାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସିଏନ୍ ସିଂ କହିଛନ୍ତି, କୋଭିଡ ୧୯ ସଂକ୍ରମଣର ପ୍ରତିରୋଧ ଦିଗରେ ତଥା ରାଜ୍ୟବାସୀଙ୍କୁ ଆବଶ୍ୟକୀୟ ସୁବିଧା ଯୋଗାଇବାରେ ଓଡ଼ିଶା ସରକାରଙ୍କ କୁଶଳୀ ନିତୀ ଖୁବ୍ ପ୍ରଶଂସନୀୟ। ଏହି ସମୟରେ ଆମେ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କୁ ଯଥା ସମ୍ଭବ ସହାୟତା ପ୍ରଦାନ କରିବା ନେଇ ଉଦ୍ୟମ ଜାରି ରଖିବୁ।

ସୂଚନାଯୋଗ୍ୟ, ବେଦାନ୍ତ ଝାରସୁଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାରେ ଗୋଷ୍ଠୀ ସହାୟତା ପାଇଁ ବହୁ ପଦକ୍ଷେପ ଗ୍ରହଣ କରିବା ସହ ପାଶ୍ୱର୍ବର୍ତ୍ତୀ କ୍ଷେତ୍ରଗୁଡ଼ିକରେ ମଧ୍ୟ କୋଭିଡ ମୁକାବିଲା ପାଇଁ ତୃଣମୂଳସ୍ତରରେ ବହୁ ପଦକ୍ଷେପ ହାତକୁ ନେଇଛି। ଝାରସୁଗଡ଼ା ଏବଂ ଭବାନୀପାଟଣାସ୍ଥିତ ସରକାରୀ କୋଭିଡ ହସ୍ପିଟାଲ ପାଇଁ ବେଦାନ୍ତ ସହଯୋଗ ପ୍ରଦାନ କରିଛି। ଝାରସୁଗୁଡ଼ାସ୍ଥିତ ୧୧୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପାଇଁ ଭେଣ୍ଟିଲେଟର, ପିପିଇ କିଟ, ଅକ୍ସିଜେନ କନ୍ସେନ୍ଟ୍ରେସରର୍ସ, ନୋବିଲାଇଜର ପରି ଅନେକ ଉପକରଣ ଯୋଗାଇବା ସହ ଭବାନୀପାଟଣାସ୍ଥିତ କୋଭିଡ ହସ୍ପିଟାଲର ସୁରକ୍ଷା ଉପକରଣ ସହ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ପ୍ରଦାନ କରିଛି।