ଚୀନ ଛାଡ଼ି ଭାରତରେ ଉଦ୍ୟୋଗ ସ୍ଥାପନ ହେଉ

ନୂଆଦିଲ୍ଲୀ: ଚୀନକୁ ନେଇ ଆମେରିକାର ହାବଭାବ ଦିନକୁଦିନ ବଦଳିବାରେ ଲାଗିଛି। ଆମେରିକାର ବିଦେଶ ମନ୍ତ୍ରଣାଳୟର ଉପସମିତିର ସଦସ୍ୟ ଟେଡ ୟୋହୋ କହିଛନ୍ତି କି, ଚୀନରେ ରହିଥିବା ଉଦ୍ୟୋଗକୁ ଭାରତ ସ୍ଥାନାନ୍ତର କରାଯିବା ଦରକାର। ଫଳରେ ଦୁନିଆ ପାଖରେ ଏକ ବିକଳ୍ପ ପ୍ରସ୍ତୁତ ରହିପାରିବ।

ଟେଡଙ୍କ ଅନୁସାରେ, ନିଜ ଭଳି ମାନସିକତା ରଖୁଥିବା ଦେଶ ସହ କାର୍ଯ୍ୟ କରିବା ହେଉଛି ଆମେରିକାର ପ୍ରଥମ ନୀତି। ଚୀନରୁ ନିଜ ଉଦ୍ୟୋଗକୁ ଭାରତ ସ୍ଥାନାନ୍ତର କରିବା ପାଇଁ ଆମେରିକା ଏକ ଯୋଜନା ପ୍ରସ୍ତୁତ କରୁଛି। ଏହାସହ ଯେଉଁ ଉଦ୍ୟୋଗ ଆମେରିକା ଫେରିବାକୁ ଚାହୁଁଥିବ ମଧ୍ୟ ଫେରିପାରିବ। ଭାରତର ପ୍ରଧାନମନ୍ତ୍ରୀ ‘ମେକ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଏଭଳି ସ୍ଥିତିରେ ଚୀନରୁ ଭାରତକୁ ଉଦ୍ୟୋଗ ସ୍ଥାନାନ୍ତର କଲେ ବଡ଼ ନିବେଶ ମିଳିବ। ଏହି ପଦକ୍ଷେପ ଦ୍ୱାରା ଚୀନ ଉପରେ ଆର୍ଥିକ ଚାପ ପଡ଼ିବା ସହ ବେଇଜିଂ ଯୋଗାଣ ଚେନରୁ ଅଲଗା ହୋଇଯିବ। ଆଉ ଆମେ ଆମ ଉଦ୍ୟୋଗକୁ ଭାରତ କିମ୍ବା ଅନ୍ୟ ସହଯୋଗୀ ରାଷ୍ଟ୍ରକୁ ସ୍ଥାନାନ୍ତର କରିପାରିବୁ।

ଟେଡ ଆହୁରି କହିଛନ୍ତି କି, ସମଗ୍ର ବିଶ୍ୱ ମଧ୍ୟ ଚୀନ ସହ ସମ୍ପର୍କ ତୁଟାଇ ଦେବା ଉଚିତ। କାରଣ ଚୀନ ଲୋକଙ୍କ ଭଲ ପାଇଁ ଯେଉଁ କଥା କୁହେ, ତାହା ଅନ୍ୟ ଦେଶରେ ଲାଗୁ କରିବା ତ ଦୂରକଥା ନିଜ ଦେଶରେ ମଧ୍ୟ କରେନାହିଁ। ମୁଁ ଏମିତି କହୁନି କି ଚୀନ ଆମେରିକା କିମ୍ବା ଭାରତ ପରି ହେଇଯାଉ କିନ୍ତୁ ଅତି କମରେ ସମ୍ମାନ, ମାନବିକତା ଓ ମାନବାଧିକାର ତ ରଖିପାରିବ।