ବାଲିଗୁଡା ଷ୍ଟେଟବ୍ୟାଙ୍କରେ ଗ୍ରାହକଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ବାଲିଗୁଡା,ଏନ୍ଏନ୍ଏସ୍ : ମହିଳାମାନଙ୍କୁ ସଶକ୍ତ କରିବା ନିମନ୍ତେ ସରକାରୀ ସ୍ତରରେ ପ୍ରଚେଷ୍ଟା ଜାରୀ ରହିଛି। ମିଶନ ଶକ୍ତି ହେଉଛି ସରକାରଙ୍କ ଏକ ସ୍ୱତନ୍ତ୍ର ବିଭାଗ। ଏହି ବିଭାଗ ମାଧ୍ୟମରେ ପ୍ରତି ପଞ୍ଚାୟତରେ ସ୍ୱୟଂ ସହାୟିକା ଗୋଷ୍ଠୀ ଗଠନ କରି ସଶକ୍ତି କରାଯାଇଥାଏ। କିନ୍ତୁ କେତେକ ବ୍ୟାଙ୍କ କର୍ମଚାରୀଙ୍କ ବେପରୁଆ ଓ ହୀନ ମନଭାବ ଯୋଗୁଁ ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡିକର ଉନ୍ନତି ଓ ସଶକ୍ତି କରଣ ବଦଳରେ ଆର୍ଥିକ ସ୍ଥିତି ଶୋଚନୀୟ ହେବାରେ ଲାଗିଛି, ଯାହାକି, ଆର୍ôଥକ ମେରୁଦଣ୍ଡ ଭାଙ୍ଗିବାରେ ଲାଗିଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି, କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଷ୍ଟେଟ ବ୍ୟାଙ୍କରେ । ଏଠାରେ ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ସରକାରଙ୍କ ଋଣ ପ୍ରଦାନ କରିବା ବଦଳରେ ଦୁର୍ବ୍ୟବହାର କରିବା କିଛି ସ୍ୱୟଂ ସହାୟିକା ଗୋଷ୍ଠୀ ଅଭିଯୋଗ ଆଣିଛନ୍ତି। ସ୍ଥାନୀୟ ମୁଣ୍ଡାସାହି ଅଞ୍ଚଳର ୨ ଟି ସ୍ୱୟଂ ସହାୟିକା ଗୋଷ୍ଠୀ ମା’ ତାରାତାରିଣୀ ଓ ପ୍ରଭାତୀ ତାରା ସ୍ୱୟଂ ସହାୟିକା ଗୋଷ୍ଠୀ ।

ଏହି ଦୁଇ ଗୋଷ୍ଠୀଙ୍କ କାଗଜ ପତ୍ର ମଧ୍ୟ ବାଲିଗୁଡା ବ୍ଳକ ମିଶନ ଶକ୍ତି ମାଧ୍ୟମରେ ବାଲିଗୁଡା ଷ୍ଟେଟ ବ୍ୟାଙ୍କକୁ ପଠାଯାଇଥିଲା। କିନ୍ତୁ ଋଣ ବିଭାଗ ଦାୟିତ୍ୱରେ ଥିବା ଜୈନକ କର୍ମଚାରୀ ଜଣକ ଏହି ଦୁଇ ଗୋଷ୍ଠୀର ମହିଳାମାନଙ୍କ ସହିତ ଅନ୍ୟ ଅଞ୍ଚଳରୁ ଆସିଥିବା କିଛି ଗୋଷ୍ଠୀ ଗୁଡିକୁ ଦୁର୍ବ୍ୟବହାର କରିବା ସହିତ କୁଆଡେ ଆସିଛ, ଏଠି କ’ଣ ବାପାର ଟଙ୍କା ଥୁଆ ହୋଇଛି ନେବା ପାଇଁ ପଳେଇ ଆସିଛୁ । ଏଭଳି ଅସଭ୍ୟ ଭାଷାରେ ବ୍ୟବହାର କରି କାଗଜ ପତ୍ର ଗୁଡ଼ିକ ଫୋପାଡି ଦେଇଥିଲେ । ଏ ନେଇ ଶାଖାର ମୁଖ୍ୟ ପରିଚାଳକଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଅନୁପସ୍ଥିତ ଥିବାରୁ ଯୋଗାଯୋଗ ହୋଇପାରି ନଥିଲା। ଏହିପରି ଦୁର୍ବ୍ୟବହାର ଖବର ବାହରେ ପ୍ରକାଶ ପାଇବାପରେ ସବୁ ବର୍ଗରୁ ତୀବ୍ର ନିନ୍ଦା କରାଯିବା ସହ ତୁରନ୍ତ ବିହିତ ପଦକ୍ଷେପ ନେବାପାଇଁ ସାଧାରଣରେ ଦାବି ହୋଇଛି।