ବଲାଙ୍ଗିର ପର୍ଯ୍ୟନ୍ତ ଲମ୍ବିଛି ଅଭୟକାନ୍ତଙ୍କ କଳା ସାମ୍ରାଜ୍ୟର ଚେର

ବାଲାଙ୍ଗିର, ଏନ୍ଏନ୍ଏସ୍: ଆଇଏଫଏସ୍ ଅଫିସର ଅଭୟକାନ୍ତ ପାଠକଙ୍କ କଳା ସାମ୍ରାଜ୍ୟର ଚେର କେତେବାଟ ଲମ୍ବିଛି, ତାହାର ଖୋଳତାଡ଼ ଆରମ୍ଭ କରିଛି ଭିଜିଲାନ୍ସର ସ୍ୱତନ୍ତ୍ର ଏସଆଇଟି ଟିମ। ଅଭୟକାନ୍ତ ପାଠକଙ୍କ ବଲାଙ୍ଗିର ଲିଙ୍କ ନେଇ ଖୋଳତାଡ ଆରମ୍ଭ ହୋଇଛି। ଲଗାତାର ୨ ଦିନ ଧରି ପାଠକଙ୍କ ବଲାଙ୍ଗିର ଲିଙ୍କ ନେଇ ଏସଆଇଟି ଟିମ ତଦନ୍ତ ଜାରି ରଖିଛି। ଏବେ ପାଠକଙ୍କ ବ୍ୟାଙ୍କ୍ ଆକାଉଣ୍ଟର ଷ୍ଟେଟମେଣ୍ଟ୍ ଭିଜିଲାନ୍ସ ହାତରେ ଲାଗିଛି। ସୂଚନାଥାଉକି ପାଠକଙ୍କ ୩ଟି ବ୍ୟାଙ୍କ ଆକାଉଣ୍ଟର ଷ୍ଟେଟମେଣ୍ଟ ଏସଆଇଟି ହାତରେ ଲାଗିଛି। ସେହିପରି ୨୦ଟି ବ୍ୟାଙ୍କରେ ଆକାଉଣ୍ଟ୍ ରହିଛି। ଏହି ସବୁର ଖୋଳତାଡ଼ ଆରମ୍ଭ ହୋଇଛି। ମିଳିଥିବା ସୂଚନା ମୁତାବକ, ଅଭୟ ଏବଂ ତାଙ୍କ ସ୍ତ୍ରୀ ପୁଷ୍ପା, ପୁଅ ଆକାଶ ସମେତ ଝିଅ-ଜ୍ୱାଇଁ ନାଁରେ ଫିକ୍ସ ଡିପୋଜିଟ, ଋଣ ଜମା, ଲକର ସହ ଅନ୍ୟାନ୍ୟ ଟଙ୍କା କାରବାରର ତଦନ୍ତ କରୁଛି ଭିଜିଲାନ୍ସର ସ୍ୱତନ୍ତ୍ର ଟିମ। ଭିଜିଲାନ୍ସ ନିର୍ଦ୍ଦେଶାଳୟର ନିର୍ଦ୍ଦେଶରେ ବଲାଙ୍ଗିର ମୁଖ୍ୟ ବନ ସଂରକ୍ଷକ ଅଫିସ୍ , ଓଡ଼ିଶା ବନ ଉନ୍ନୟନ ନିଗମ , ଡାକ ଘର, ଜୀବନ ବୀମା ନିଗମ ଓ ସମସ୍ତ ବ୍ୟାଙ୍କରେ ଅଭୟ ପାଠକ ଏବଂ ତାଙ୍କ ପରିବାର ଲୋକଙ୍କ ଲିଙ୍କର ତାଲିକା ପ୍ରସ୍ତୁତ କରୁଛି ଏସଆଇଟିର ଏହି ଟିମ।