ହନୁମାନ ଚାଳିଶା ପଢ଼ିଲେ ବଜରଙ୍ଗ ଦଳ ଓ ବିଶ୍ୱହିନ୍ଦୁ ପରିଷଦ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: କର୍ଣ୍ଣାଟକରେ ନିର୍ବାଚନ ଜିତିଲେ ପ୍ରଥମେ ବଜରଙ୍ଗ ଦଳକୁ ବ୍ୟାନ କରାଯିବା ସହ କଳା ତାଲିକା ଭୁକ୍ତ କରିବା ବୋଲି କଂଗ୍ରେସ ପାର୍ଟି ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଥିଲା । ଏହାର ପ୍ରତିବାଦରେ ଆଜି ସମଗ୍ର ଦେଶରେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତରଫରୁ ହନୁମାନ ମନ୍ଦିରମାନଙ୍କରେ ପ୍ରତିବାଦ କରାଯାଇଛି । ଏହି ପରିପ୍ରେକ୍ଷୀରେ ପାଟଣାଗଡ଼ରେ ମଧ୍ୟ ସ୍ଥାନୀୟ ବସଷ୍ଟାଣ୍ଡ ସମ୍ମୁଖରେ ଥିବା ହନୁମାନ ମନ୍ଦିରରେ ବଜରଙ୍ଗ ଦଳ, ବିଶ୍ୱହିନ୍ଦୁ ପରିଷଦ ଓ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ଏକତ୍ରିତ ହୋଇ ପ୍ରଥମେ ୧୦୮ ଆଳତୀ ଦିଆଯାଇଥିଲା । ପରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିବାଦ ସଭାରେ ହିନ୍ଦୁ ଜାଗରଣ ସାମୁଖ୍ୟର ବିକ୍ରମ ଆଚାର୍ଯ୍ୟ, ଆରଏସଏସର ପ୍ରଭାକର ପାତ୍ର, ବଜରଙ୍ଗ ଦଳର ସଭାପତି ସମରେନ୍ଦ୍ର ଦାସ, ସମ୍ବିତ ତ୍ରିପାଠୀ, ଅଜିତ ଭାଟି, ବ୍ରାହ୍ମଣ ସମାଜର ଡମ୍ବରୁଧର ପାଣିଗ୍ରାହୀ, ଅରକ୍ଷିତ ଯୋଶୀ, ଓମ ପ୍ରକାଶ ଯୋଶୀ, ପ୍ରଭାତ ଯୋଶୀ ଓ ସୁବାସ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ସାମୁହିକ ଭାବେ ହନୁମାନ ଚାଲିସା ପାଠ କରିଥିଲେ । ଶେଷରେ ପ୍ରସାଦ ବଣ୍ଟନ କରାଯାଇଥିଲା । ପରେ ସଂଗଠନର କର୍ମକର୍ତ୍ତାମାନେ ଥାନାକୁ ଯାଇ ପୁଣିଥରେ ପାଟଣାଗଡ଼ ଅଞ୍ଚଳରେ ରହୁଥିବା ଅଣହିନ୍ଦୁ ଓ ବଙ୍ଗାଳାଦେଶୀ ଅନୁପ୍ରବେଶକାରୀଙ୍କୁ ତୁରନ୍ତ ହଟାଇବା ପାଇଁ ଦାବୀ ଜଣାଇଥିଲେ ।