କାଲି ଦିଲ୍ଲୀ ପହଞ୍ଚିବେ ବାଇଡେନ

ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀ ଲାଗି ଦିଲ୍ଲୀ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛି । ସମ୍ମିଳନୀ ପାଇଁ ଦିଲ୍ଲୀର ସମସ୍ତ ଗୁରୁତ୍ତ୍ୱପୂର୍ଣ୍ଣ ଓ ଐତିହାସିକ ବିଲ୍ଡିଂକୁ ରଙ୍ଗ ବେରଙ୍ଗ ଲାଇଟରେ ସଜା ଯାଇଛି । ଏୟାରପୋର୍ଟରୁ ଆରମ୍ଭ କରି କୁତୁବ ମିନାର, ପ୍ରଗତି ମଇଦାନ ଓ ଭାରତ ମଣ୍ଡପମ ସମେତ ଦିଲ୍ଲୀର ସମସ୍ତ ଅଞ୍ଚଳର ସୌନ୍ଦର୍ଯ୍ୟ ଖୁବ୍ ମନୋହର ହୋଇଛି । ଏଭଳି ସ୍ଥିତିରେ ଅତିଥିଙ୍କ ଆସିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି ଖାସ୍ ଅତିଥୀଙ୍କ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ସାମିଲ ରହିଛନ୍ତି । ବାଇଡେନ କାଲି ଦିଲ୍ଲୀ ପହଞ୍ଚୁଛନ୍ତି ।

ଆମେରିକା ରାଷ୍ଟ୍ରପତି ହେବା ପରେ ଜୋ ବାଇଡେନଙ୍କ ଏହା ହେଉଛି ପ୍ରଥମ ଭାରତ ଗସ୍ତ । କାଏହି ସମୟରେ ବାଇଡେନ ଜି-୨୦ ସମ୍ମିଳନୀରେ ସାମିଲ ହେବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଦ୍ୱି-ପାକ୍ଷିକ ଆଲୋଚନା ମଧ୍ୟ କରିବେ । ବାଇଡେନ ଏୟାରଫୋର୍ସ ୧ ବିମାନରେ ଦିଲ୍ଲୀ ପହଞ୍ଚିବେ । ଏୟାରଫୋର୍ସ ୧ ସହ ଅନ୍ୟ ଏକ ବିମାନ ବ୍ୟାକଅପ ଯୋଜନାରେ ମଧ୍ୟ ରହିବ ଯାହାକି ଜରୁରୀକାଳୀନ ସ୍ଥିତିରେ ବ୍ୟବହାର କରାଯିବ । ବ୍ୟାକଅପ ବିମାନକୁ ଗୁପ୍ତ ସ୍ଥାନରେ ରଖାଯାଇଥାଏ । ଏୟାରଫୋର୍ସ ୧ ବିମାନ ସମସ୍ତ ପ୍ରକାର ଆକ୍ରମଣରୁ ସୁରକ୍ଷା ପ୍ରଦାନ କରିଥାଏ । ବାଇଡେନ ଦିଲ୍ଲୀ ପହଞ୍ଚିବା ପରେ ନିଜ ବିଷ୍ଟ ଗାଡ଼ିରେ ଯାତ୍ରା କରିବେ ଏବଂ ତାଙ୍କ ସହ ପାଖାପାଖି ୫୦ ଗାଡ଼ିର ସୁରକ୍ଷା ଘେରା ରହିବ । ପରମାଣୁ ଆକ୍ରମଣକୁ ବିଫଳ କରିବାର କ୍ଷମତା ବିଷ୍ଟ ପାଖରେ ରହିଛି ।

ବାଇଡେନ ଦିଲ୍ଲୀ ପ୍ରବେଶ ସମୟରେ ଆଇଟିସି ମୌର୍ଯ୍ୟ ସେରେଟନରେ ରହିବେ । ହୋଟେଲର ୧୪ତମ ତାଲାରେ ବାଇଡେନଙ୍କ ସୁଇଟ୍ ରହିଛି । ସୁଇଟ ୪,୬୦୦ ସ୍କୟାର ଫୁଟରେ ବ୍ୟାପିଛି । ଏହି ସୁଇଟର ଭଡ଼ା ଦିନ ପିଛା ୮ରୁ ୧୦ ଲକ୍ଷ ଟଙ୍କା ରହିବ । ଡଗ୍ ସ୍କ୍ୱାର୍ଡ ସହ ସ୍ୱତନ୍ତ୍ର ଉପକରଣ ନିଯୁକ୍ତ କରାଯାଇଛି । ପ୍ରତିଟି ଫ୍ଲୋରରେ ସ୍ୱତନ୍ତ୍ର ଉପକରଣ ନିଯୁକ୍ତ କରାଯିବ । ପ୍ରତିଟି ଫ୍ଲୋର ଉପରେ ସିକ୍ରେଟ ସର୍ଭିସ କମାଣ୍ଡୋ ନିଯୁକ୍ତ ରହିବେ । ହୋଟେଲର ୪୦୦ଟି ରୁମ୍ ବାଇଡେନଙ୍କ ଟିମ୍ ଲାଗି ବୁକ କରାଯାଇଛି । ଏହାସହ ହୋଟେଲରେ ବାଇଡେନଙ୍କ ଯା’ ଆସ ପାଇଁ ଏକ ନୂଅ ସ୍ୱତନ୍ତ୍ର ଲିଫ୍ଟ ମଧ୍ୟ ଲଗାଯାଇଛି ।