ମୁଖ୍ୟ ପୂଜାରୀଙ୍କ ସମେତ ୨୮ ଜଣ ଉପସ୍ଥିତରେ ଖୋଲିଲା ବଦ୍ରୀନାଥ ଧାମ

ଉତ୍ତରାଖଣ୍ଡ,ଏଜେନ୍ସି: ସମଗ୍ର ଦେଶକୁ କରୋନା ଭୂତାଣୁ ଯୋଗୁଁ ଲକଡାଉନ କରାଯାଇଥିବା ବେଳେ ଉତ୍ତରାଖଣ୍ଡର ପ୍ରସିଦ୍ଧ ବଦ୍ରିନାଥ ମନ୍ଦିରର ମୁଖ୍ୟ କବାଟକୁ ଆଜି ଭୋର ୪ଟା ୩୦ ମିନିଟରେ ଖୋଲାଯାଇଛି। ବଦ୍ରିନାଥ ଦ୍ୱାର ଖୋଲିବା ସମୟରେ ମୁଖ୍ୟ ପୂଜାରୀଙ୍କ ସମେତ ଅନ୍ୟ ପୂଜାରୀ ଓ ମନ୍ଦିର ଟ୍ରଷ୍ଟର ମୋଟ ୨୮ ଜଣ ଲୋକ ଥିଲେ। ଏମାନେ ମନ୍ଦିରର ପୂଜାରୀ ଓ ଟ୍ରଷ୍ଟର ସଦସ୍ୟ। ମନ୍ଦିର ଖୋଲିବା ପୂର୍ବରୁ ଏହାକୁ ଫୁଲରେ ସଜାଯାଇଥିଲା। କିନ୍ତୁ ଲକଡାଉନ ଯୋଗୁଁ ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ଅନୁମତି ମିଳି ନାହିଁ।

ଏହି ପରିପ୍ରେକ୍ଷୀରେ ଆଜି ଶୁଭ ମୁହୂର୍ତ୍ତରେ ବଦ୍ରିନାଥ ଧାମଙ୍କ ମୁଖ୍ୟ ଫାଟକ ଖୋଲାଯାଇଛି। ଆଜି ସକାଳ ୪ଟା ୩୦ରେ ପ୍ରଥମେ ଭଗବାନ ବଦ୍ରିନାଥଙ୍କୁ ଅଭିଷେକ କରାଯାଇଥିଲା। ବୁଧବାର ପୂଜାରୀ ଯୋଶୀମଠ ନରସିଂହ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ଗଦ୍ଦୀ ତଥା ତେଲ କଳଶ ସହିତ ଯୋଗଧ୍ୟାନ ମନ୍ଦିର ପାଣ୍ଡୁକେଶ୍ୱର ପହଞ୍ଚି ଥିଲେ। ଏହା ପୂର୍ବରୁ ଯୋଶୀମଠର ନୃସିଂହ ମନ୍ଦିର ଯୋଶୀମଠରେ ପୂଜାର୍ଚ୍ଚନା ଓ ହୋମ କରାଯାଇଥିଲା। ଗୁରୁବାର ସନ୍ଧ୍ୟାରେ ଉଦ୍ଧବ ଓ କୁବେରଙ୍କ ବିଗ୍ରହ ସହ ମୁଖ୍ୟ ପୂଜାରୀ ରାଓଲ ଈଶ୍ୱରୀ ପ୍ରସାଦ ନମ୍ବୁଦରୀଙ୍କ ସମେତ ୩୧ ଚାରିଧାମ ଦେବସ୍ଥାନମ ବୋର୍ଡର କାରିନ୍ଦେ ଓ ହକ ହକୁକଧାରୀ ଗ୍ରାମବାସୀ ବଦ୍ରୀନାଥ ପହଞ୍ଚିଥିଲେ।

ସୂଚନାଯୋଗ୍ୟ, ବଦ୍ରିନାଥ ଧାମ ଖୋଲିବା ପୂର୍ବରୁ ଗତ ଏପ୍ରିଲ ୨୯ରେ କେଦାରନାଥ ଧାମ ଖୋଲିଥିଲା। ଶ୍ରୀ ଗଙ୍ଗୋତ୍ରୀ-ଯମୁନେତ୍ରୀ ଧାମର କବାଟ ଏପ୍ରିଲ ୨୬ରେ ଖୋଲି ଦିଆଯାଇଥିଲା। ସେହିପରି ଦ୍ୱିତୀୟ କେଦାର ମହେଶ୍ୱରଙ୍କ କବାଟ ଗତ ୧୧ ତାରିଖରେ ଖୋଲିଥିଲା। ତୃତୀୟ କେଦାର ତୁଙ୍ଗନାଥଙ୍କ କବାଟ ମେ’ ମାସ ୨୦ ତାରିଖରେ ଖୋଲିବ।