କରୋନା କେ ଯଙ୍ଗ, ଦିଲ୍ଲୀ ପୁଲିସ କେ ସଙ୍ଗ…

ନୂଆଦିଲ୍ଲୀ: କରୋନା କାଳରେ ଦିଲ୍ଲୀବାସୀଙ୍କ ସୁରକ୍ଷା କରୁଥିବା ପୁଲିସ ଲଗାତାର ଭାବେ ଏଥିରେ ଆକ୍ରାନ୍ତ ହେଉଛନ୍ତି। ସେଥିପାଇଁ ପୁଲିସର ସୁରକ୍ଷାକୁ ଦୃଷ୍ଟିରେ ରଖି ଆୟୁଷ ମନ୍ତ୍ରଣାଳୟ ସାମ୍ନାକୁ ଆସିଛି। ଆୟୁଷ ମନ୍ତ୍ରଣାଳୟ କାଢ଼ା ପିଆଇ ଦିଲ୍ଲୀ ପୁଲିସର ୮୦ ହଜାର ଯୋଦ୍ଧାଙ୍କୁ ସୁରକ୍ଷିତ ରଖିବାର ଅଭିଯାନ ଆରମ୍ଭ କରିଛି। ଆଉ ଏହି ଅଭିଯାନର ନାମ ‘କରୋନା କେ ଯଙ୍ଗ, ଦିଲ୍ଲୀ ପୁଲିସ କେ ସଙ୍ଗ’ ରଖାଯାଇଛି। ଆୟୁଷ ମନ୍ତ୍ରଣାଳୟ ତରଫରୁ ଦିଲ୍ଲୀ ପୁଲିସକୁ ଏକ କିଟ୍ ପ୍ରଦାନ କରାଯାଇଛି। ଏହି କିଟରେ କାଢ଼ା, ସଂଶମନୀ ବଟିକା, ଅଣୁ ତେଲ ଓ ଚୱନପ୍ରାଶ ରହିଛି। କାଢ଼ା, ସଂଶମନୀ ବଟିକାକୁ ସକାଳେ ଓ ସଂଧ୍ୟାରେ ଖାଇବାକୁ ପଡ଼ିବ। ଅଣୁ ତେଲକୁ ନାକରେ ଦୁଇଥର ପକାଇବା ସହ ଚୱନପ୍ରାଶକୁ ଦୁଇବେଳା ୧ ଚାମଚ ଲେଖାଏଁ ଖାଇବାକୁ ପଡ଼ିବ। ଖାସ କଥାଟି ହେଲା, ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ କରାଯାଉଥିବା ଏହି କିଟକୁ ଏବେ ଦେଶର ସବୁ ରାଜ୍ୟର ପୁଲିସ ଦାବି କରୁଛନ୍ତି।