ରାମ ମନ୍ଦିର ଭୂମିପୂଜନ : ଅଯୋଦ୍ଧା ସୀମା ସିଲ୍, ଏସପିଜି ସମ୍ଭାଳିଲା ସୁରକ୍ଷା ଦାୟିତ୍ୱ

ନୂଆଦିଲ୍ଲୀ: ରାମ ମନ୍ଦିର ଭୂମିପୂଜାରେ ଆଉ ମାତ୍ର ୨୪ ଘଣ୍ଟା ବାକି ରହିଲା। ଭୂମିପୂଜା କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିଳାନ୍ୟାସ କରିବେ। ଏହାକୁ ଦୃଷ୍ଟିରେ ରଖି ଅଯୋଦ୍ଧାର ସୁରକ୍ଷା ଦାୟିତ୍ୱ ଏସପିଜିକୁ ଦିଆଯାଇଛି। ଏଥିସହିତ ଅଯୋଦ୍ଧା ସୀମାକୁ ସିଲ୍ କରାଯାଇ ଅଗଷ୍ଟ ୫ ପର୍ଯ୍ୟନ୍ତ ବାହାର ଲୋକଙ୍କ ପ୍ରବେଶକୁ ନିଷେଧ କରାଯାଇଛି। ଆଉ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ପାଖରେ ପରିଚୟ ପତ୍ର ରଖିବାକୁ ବାଧ୍ୟତାମୂଳକ କରାଯାଇଛି।

ରାମ ମନ୍ଦିର ଭୂମିପୂଜାରେ ମାତ୍ର ୧୭୫ ଲୋକଙ୍କୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଅଯୋଦ୍ଧାରେ ୧୩୭ କୋଟି ଭାରତୀୟଙ୍କୁ ସମ୍ବୋଧିତ କରିବେ। ଭୂମିପୂଜା ପାଇଁ ସମଗ୍ର ଦେଶର ୨୦୦୦ ସ୍ଥାନରୁ ପବିତ୍ର ଜଳ ଓ ମାଟି ଅଯୋଦ୍ଧା ପହଞ୍ଚିଛି। ଏହି ସମୟରେ ମଞ୍ଚରେ ମାତ୍ର ୫ଜଣ ରହିବେ।ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆରଏସଏସ ମୁଖ୍ୟ ମୋହନ ଭାଗବତ ଓ ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟଗୋପାଳ ଦାସ ମଞ୍ଚରେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।