ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଟିରଲି ଅମ୍ବାଗୁଡ଼ାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଜିଲ୍ଲା ଶିଳ୍ପ କେନ୍ଦ୍ର ଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଦ୍ୟୋଗ ବିକାଶକୁ ନେଇ ଏକ ଦିନିକିଆ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ସହକାରୀ ପ୍ରଫେସର ମନ୍ମଥ କୁମାର ମାଝୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଜୟନ୍ତ କୁମାର ନାୟକ ଆଇପିଓ ଏମଏସ୍ଏମଇ, ସମ୍ମାନିତ ବକ୍ତାଭାବେ ନିର୍ମଳ କୁମାର ରାୟଗୁରୁ, ବିଶେଷ ବକ୍ତାଭାବେ କେ.ବିକ୍ରମ ରାଜୁ, କୁମାରୀ ସ୍ୱାତୀ ମିଶ୍ର ଓ ଧବଳେଶ୍ୱର ଜେନା ନିଜ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଛାତ୍ରଛାତ୍ରୀମାନେ କିପରି ସ୍ୱାବଲମ୍ବୀ ହେବେ ଓ ଦେଶ ପ୍ରଗତିରେ ନିଜର ଦାୟିତ୍ୱ ସୂଚାରୁ ରୂପେ ତୁଲାଇବେ ସେ ବିଷୟରେ ଆଲୋଚନା କରାଯାଇଥିଲା । ସ୍ୱାବଲମ୍ବୀ ହେବା ପାଇଁ ସରକାରଙ୍କ ତରଫରୁ କ’ଣ କ’ଣ ଯୋଜନା ରହିଛି ଏବଂ କିପରି ତା’ର ବିନିଯୋଗ କରାଯିବ ସେନେଇ ଅତିଥିବୃନ୍ଦ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ସହକାରୀ ପ୍ରଫେସର ଡା. ଅରବିନ୍ଦ କୁମାର ଓଝା ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କୁ ସମୟ ଅପଚୟ ନ କରିବାକୁ ଉପଦେଶ ଦେଇଥିଲେ । ପରେ ବକ୍ତା ଏବଂ ଅତିଥିଗଣ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ଏହି ପରିପ୍ରେକ୍ଷୀରେ ମହାବିଦ୍ୟାଳୟର ୩୦ଜଣ ଆଗ୍ରହୀ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇ ସେମାନଙ୍କୁ ୧୨ ଦିନ ଲାଗି ପ୍ରଶିକ୍ଷଣ ଦିଆଯିବା ନେଇ ଜିଲ୍ଲା ଶିଳ୍ପକେନ୍ଦ୍ର ନିଷ୍ପତ୍ତି ନେଇଛି । ଶେଷରେ ସହକାରୀ ପ୍ରଫେସର ରାଜୀବ ଜାଲ ଧନ୍ୟବାଦ ଦେଇଥିଲେ ।