ବିଶ୍ୱ ଏଡସ ଦିବସକୁ ନେଇ ସଚେତନତା

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ବିଶ୍ୱ ଏଡସ ଦିବସ ଉପଲକ୍ଷେ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଅଧିକାରୀ, ଡାକ୍ତର ଓ ସ୍ୱାସ୍ଥ୍ୟ ସମିତି ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଏକ ସଚେତନତା ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଜନକ ରାଉତ ଯୋଗଦେଇ ପିଲାଙ୍କୁ ସଚେତନ କରାଇଥିଲେ । ପରେ କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ସେହିପରି ନବରଙ୍ଗପୁର ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଓ ଯୁବ ରେଡ଼କ୍ରସ ତଥା ରେଡ ରିବନ କ୍ଲବ ତରଫରୁ ବିଶ୍ୱ ଏଡସ ଦିବସ ପାଳିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଯୁବ ରେଡକ୍ରସ ଜିଲ୍ଲା ସମ୍ପାଦକ ଅଧ୍ୟାପକ ଦିଲ୍ଲୀପ କୁମାର ହୋତା ଏବଂ କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତା ଶ୍ରେଣୀ ଶ୍ରେଣୀ ବୁଲି ଛାତ୍ରଛାତ୍ରୀଙ୍କୁ ଏଡସ ବିଷୟରେ ସଚେତନ କରିଥିଲେ । ଏଥିନିମନ୍ତେ ଆୟୋଜିତ କର୍ମଶାଳାକୁ ଉଦଘାଟନ କରି ଅଧ୍ୟକ୍ଷ ଡା. ଭାସ୍କର ନାଥ ବିଶ୍ୱାଳ ସାମ୍ପ୍ରତିକ ସମୟରେ ଭାରତରେ ଏଡସର ସ୍ଥିତି ଓ ପ୍ରଭାବ ବିଷୟରେ ଆଲୋକପାତ କରିଥିଲେ । ଜିଲ୍ଲା ସମ୍ପାଦକ ଅଧ୍ୟାପକ ଦିଲ୍ଲୀପ କୁମାର ହୋତା ଏଡସ ଦିବସ ପାଳନର ଆବଶ୍ୟକତା ବିଷୟରେ ବକ୍ତବ୍ୟ ଦେବାସହ ଆଗାମୀ ଦିନରେ ଛାତ୍ରଛାତ୍ରୀ ନିଜ ନିଜ ଗ୍ରାମରେ ସଚେତନତା ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ । ପରେ ଜାତୀୟ ସେବା ସଂସ୍ଥା ମହିଳା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ମାନସୀ ମହାପାତ୍ର ଏଡସ ବିରୁଦ୍ଧରେ ସଚେତନତା ଅଭିଯାନରେ ସ୍ୱେଚ୍ଛାସେବୀମାନେ ପ୍ରମୁଖ ଭୂମିକା ନେଇପାରିବେ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମକୁ ଛାତ୍ର ସଂସଦ ସହଉପଦେଷ୍ଟା ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତା ସଂଯୋଜନା କରିଥିଲେ । ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ବିଶ୍ୱ ଏଡ଼ସ ଦିବସ ଉପଲକ୍ଷେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡା. ରଞ୍ଜନ କୁମାର ବେହେରା ଏହାକୁ ଉଦଘାଟନ କରିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ସାନମସିଗାଁ ଡାକ୍ତରଖାନାର ମେଡିକାଲ୍ ଅଫିସର୍ ଡାକ୍ତର ପଙ୍କଜ ପଟ୍ଟନାୟ, ସମ୍ମାନିତ ବକ୍ତାଭାବେ ସହକାରୀ ପ୍ରଫେସର ମନ୍ମଥ କୁମାର ମାଝୀ ଓ ଅନ୍ୟତମ ବକ୍ତାଭାବେ ମହାବିଦ୍ୟାଳୟର ଜାତୀୟସେବା ଯୋଜନା ଅଧିକାରୀ ସହକାରୀ ପ୍ରଫେସର ରାଜୀବ ଜାଲ ପ୍ରମୁଖ ଅଂଶଗ୍ରହଣ କରି ମତାମତ ରଖିଥିଲେ ।