ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ସହରରେ ଦିନକୁଦିନ ଟ୍ରାଫିକ ସମସ୍ୟା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ସହରର ଉଭୟ ପାର୍ଶ୍ୱରେ ଦୋକାନ ରହିଥିବାରୁ ୨ ଚକିଆ ଯାନ ରଖିବାରେ ନାନା ଅସୁବିଧା ଦେଖାଦେଇଛି। ସ୍ଥାନୀୟ ରାମଜି ଛକରୁ କଲେଜ ଛକ ପର୍ଯ୍ୟନ୍ତ ଲୋକଙ୍କ ଯାତାୟତରେ ବାଧା ସୃଷ୍ଟି ହେଉଛି । ତେଣୁ ତା’ର ପ୍ରତିକାର ପାଇଁ ଆଜି ପାଟଣାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ଉପଜିଲ୍ଲାପାଳ ଡା. ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରହରି ମହନ୍ତ, ଅତିରିକ୍ତ ତହସିଲଦାର ପାତ୍ର ବାବୁ, ସହକାରୀ ଜିଲ୍ଲାପାଳ କ୍ଷୀରୋଦ ସାହୁ, ସ୍ଥାନୀୟ ପୁଲିସର ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତ, ଥାନାଧିକାରୀ ଅନନ୍ତ ପ୍ରଧାନ, ଉପନଗରପାଳ ପ୍ରଫୁଲ୍ଲ ମେହେର, ଉଠା ଦୋକାନୀ ସଂଘର ସଭାପତି ଅନିଲ ମେହେର ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ । ଏଥିରେ ସହରର କିଛି ସ୍ଥାନରେ ମୋଟରସାଇକେଲ ଷ୍ଟାଣ୍ଡ କରିବା ସହ ଦୋକାନ ସମ୍ମୁଖରେ ୨ ଚକିଆ ଯାନ ନ ରଖିବାକୁ ଦୋକାନୀଙ୍କୁ ଅନୁରୋଧ କରାଯିବ ଓ ମାଇକ ଯୋଗେ ପ୍ରଚାର କରି ଲୋକଙ୍କୁ ସଚେତନ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି । ସହକାରୀ ଜିଲ୍ଲାପାଳ କ୍ଷୀରୋଦ ସାହୁ ଧନ୍ୟବାଦ ଦେଇଥିଲେ ।