ଫୁଲବାଣୀ,ଏନ୍ଏନ୍ଏସ୍: କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ଆଜି ଜିଲ୍ଲାର ୫ଜଣ ମତ୍ସ୍ୟ ବିକ୍ରେତାଙ୍କୁ ମତ୍ସ୍ୟ ପରିବହନ ଓ ମାଛ ସୁରକ୍ଷିତ ରଖିବା ପାଇଁ ଅଟୋରିସ୍କା ସହିତ ବରଫ ବାସ୍କ ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ଡ଼ ବୃନ୍ଦା ଡ଼ି ଓ ବାଲିଗୁଡ଼ା ଉପଜିଲ୍ଲାପାଳ ଡ.ଶୁଭଙ୍କର ମହାପାତ୍ର, ଉପ ମତ୍ସ୍ୟ ନିର୍ଦ୍ଦେଶକ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଶିବ ପ୍ରସାଦ ଭୋଇ, ସହକାରୀ ମତ୍ସ୍ୟ ଅଧିକାରୀ ପ୍ରଫୁଲ କହଁର, ଖଜୁରୀପଡ଼ା ସହକାରୀ ମତ୍ସ୍ୟ ଅଧିକାରୀ ଜ୍ଞାନ ରଞ୍ଜନ ସେଠୀ,ବାଲିଗୁଡ଼ା ସହକାରୀ ମତ୍ସ୍ୟ ଅଧିକାରୀ ସୁରସେନ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଅନୁସାରେ, ମତ୍ସ୍ୟ ପରିବହନ ଓ ସୁଗମତା ପାଇଁ ତଥା ଉପଭୋକ୍ତାମାନଙ୍କ ପାଖରେ ସଜ ମାଛ ପହଞ୍ଚାଇବା ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ମାଛ ବିପଣନ ସଂରଚନା ଯୋଜନା ମାଧ୍ୟମରେ ଅଟୋ ରିସ୍କା ସହିତ ବରଫ ବାସ୍କ ଦେବାର ବ୍ୟବସ୍ଥା ରହିଛି। ଏହି ଯୋଜନା ମାଧ୍ୟମରେ ଅନୁସୂଚିତ ଜାତି ଓ ଜନଜାତି ମହିଳାଙ୍କ ପାଇଁ ଦୁଇଲକ୍ଷ ମୂଲ୍ୟର ପ୍ରକଳ୍ପ ପାଇଁ ୬୦ ପ୍ରତିଶତ ରିହାତି ଓ ସାଧାରଣ ବର୍ଗଙ୍କ ପାଇଁ ୪୦ ପ୍ରତିଶତ ରିହାତି ରହିଛି। ଏହି ଯୋଜନା ମାଧ୍ୟମରେ ସମସ୍ତେ ଉପକୃତ ହୋଇପାରିବେ ବୋଲି ମତ୍ସ୍ୟ ଅଧିକାରୀ କହିଛନ୍ତି।