୩୩୮ ରନରେ ଅଷ୍ଟ୍ରେଲିଆ ଅଲଆଉଟ, ଭାରତର ବ୍ୟାଟିଂ ଜାରି

ସିଡ଼ନୀ,ଏଜେନ୍ସି: ସିଡ଼ନୀରେ ଚାଲିଥିବା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ୍ ମ୍ୟାଚ‌ର ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆ ଅଲଆଉଟ୍ ହୋଇଯାଇଛି। ଦଳ ପ୍ରଥମ ଇନିଂସ୍‌ରେ ୩୩୮ ରନ୍ କରିଛି। ଷ୍ଟିଭ୍ ସ୍ମିଥ ୧୩୧ ରନ କରି ଆଉଟ ହୋଇଥିଲେ‌। ଘରୋଇ ଦଳ ଅଲ‌ଆଉଟ୍ ହେବା ପରେ ଭାରତୀୟ ଦଳ ପକ୍ଷରୁ ରୋହିତ ଶର୍ମା ଓ ଶୁଭମନ ଗିଲ ଓପନିଂ କରିଛନ୍ତି।

ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଗତକାଲି ଅଷ୍ଟ୍ରେଲିଆ ଦଳ ୨ଟି ୱିକେଟ୍ ହରାଇ ୧୬୬ ରନ୍ କରିଥିଲା। ଗତକାଲି ଯଥାକ୍ରମେ ୬୭ ଓ ୩୧ ରନ୍ କରି ଅପରାଜିତ ରହିଥିବା ମାରନସ୍ ଲାବୁଶେନ୍ ଓ ଷ୍ଟିଭ୍ ସ୍ମିଥ୍ ଆଜି ପୁଣି ଇନିଂସ୍‌କୁ ଆଗେଇ ନେଇଥିଲେ। ତେବେ ଲାବୁଶେନ୍ ଶତକ ହାସଲ କରିବା ପୂର୍ବରୁ ଆଉଟ୍ ହୋଇଯାଇଥିଲେ। ସେ ୯୧ (୧୧ଟି ଚୌକା) ରନ୍ କରିଥିବା ବେଳେ ରବୀନ୍ଦ୍ର ଜାଡ଼େଜାଙ୍କ ବଲ୍‌ରେ ଆଜିଙ୍କ୍ୟ ରାହାଣେଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ତେବେ ୩୧ ରନ୍ କରିଥିବା ସ୍ମିଥ୍ ତାଙ୍କ ଖାତାରେ ଆହୁରି ୧୦୦ ରନ୍ ଯୋଡ଼ିବାରେ ସମର୍ଥ ହୋଇଥିଲେ। ସେ ୨୨୬ଟି ବଲ୍‌ରୁ ୧୬ଟି ଚୌକା ସହାୟତାରେ ୧୩୧ ରନ୍ କରିଥିଲେ। ଏଥିସହିତ ଅଷ୍ଟ୍ରେଲିଆ ଦଳ ୩୩୮ ରନ କରି ଅଲଆଉଟ ହୋଇଛି। ଭାରତ ପକ୍ଷରୁ ରବିନ୍ଦ୍ର ଜାଡେଜା ସର୍ବାଧିକ ୪ ୱିକେଟ ନେଇଥିଲେ। ବୁମରା ଓ ସୈନି ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ସିରାଜ ଗୋଟିଏ ୱିକେଟ ନେଇଥିଲେ। ସେହିପରି ଆଉ ଏକ ରନଆଉଟ ହୋଇଥିଲା।

ବର୍ତ୍ତମାନ ଭାରତ ପକ୍ଷରୁ ବ୍ୟାଟିଂ ଜାରି ରହିଥିବା ବେଳେ ରୋହିତ ଶର୍ମା ଓ ଶୁଭମନ ଗିଲ ଓପନିଂ କରିଛନ୍ତି।