ମେଲ୍ବର୍ଣ୍ଣ,ଏଜେନ୍ସି: ଆଇସିସି ଟି-୨୦ ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆ ଆସନ୍ତା ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଘରୋଇ ଟି-୨୦ ସିରିଜ୍ ଖେଳିବ । ମିଡିଆ ରିପୋର୍ଟ ଅନୁସାରେ ଆରୋନ୍ ଫିଞ୍ଚ୍ଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ଅଗଷ୍ଟ-ସେପ୍ଟେମ୍ବରରେ ଜିମ୍ବାୱେ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ସୀମିତ ଓଭର୍ ଘରୋଇ ସିରିଜ୍ ଖେଳିବ । ଏହାପରେ ସେପ୍ଟେମ୍ବରରେ ୩ଟି ଟି-୨୦ ମ୍ୟାଚ୍ ବିଶିଷ୍ଟ ସିରିଜ୍ ପାଇଁ ଭାରତ ଗସ୍ତ କରିବ । ପରେ ଅଷ୍ଟ୍ରେଲିଆର ଟିମ୍ ଘରୋଇ ମାଟିରେ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୩ଟି ଲେଖାଏଁ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ । ଅକ୍ଟୋବର ଓ ନଭେମ୍ବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ବିଶ୍ୱକପ୍ ପାଇଁ ଏହି ଗସ୍ତ ଭାରତର ପ୍ରସ୍ତୁତିରେ ସହାୟକ ହେବ । ସେହିପରି ଆସନ୍ତା ବର୍ଷ ଫେବୃଆରୀ ଓ ମାର୍ଚ୍ଚରେ ମଧ୍ୟ ଅଷ୍ଟ୍ରେଲିଆ ବର୍ଡର-ଗାଭାସ୍କର ଟ୍ରଫିରେ ୪ଟି ଟେଷ୍ଟ୍ ମ୍ୟାଚ୍ ଖେଳିବା ସକାଶେ ପୁନର୍ବାର ଭାରତ ଗସ୍ତରେ ଯିବ ।
ଚଳିତ ଆଇପିଏଲ୍ ପରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଘରୋଇ ମାଟିରେ ଜୁନ୍ ୯ରୁ ୧୯ ତାରିଖ ପର୍ଯ୍ୟନ୍ତ ସାଉଥ୍ ଆଫ୍ରିକା ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ । ଏହାପରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବା ସକାଶେ ଦଳ ଆୟର୍ଲାଣ୍ଡ୍ ଗସ୍ତ କରିବ । ସେହିପରି ଏହି ସିରିଜ୍ ପରେ ଟିମ୍ ଇଣ୍ଡିଆ ଇଂଲଣ୍ଡ ଗସ୍ତରେ ଯାଇ ସେଠାରେ ଆସନ୍ତା ଜୁଲାଇ ୧ ତାରିଖରେ ଗତବର୍ଷ କୋଭିଡ୍ ସଂକ୍ରମଣ କାରଣରୁ ସ୍ଥଗିତ ରହିଥିôବା ଟେଷ୍ଟ୍ ସିରିଜ୍ର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ଖେଳିବ । ଏହାପରେ ଟିମ୍ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ମଧ୍ୟ ୩ଟି ଲେଖାଏଁ ଦିନିକିଆ ଓ ଟି-୨୦ ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ରହିଛି ।