ଆସେସ୍‌ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚରେ ମଧ୍ୟ ବାଜି ମାରି ନେଇଛି ଅଷ୍ଟ୍ରେଲିଆ

ଲଣ୍ଡନ: ଇଂଲଣ୍ଡକୁ ଭାରି ପଡ଼ିଛି ଅଷ୍ଟ୍ରେଲିଆ । ଆସେସ୍‌ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ୪୩ ରନରେ ବାଜି ମାରି ନେଇଛି । ଏହି ଶୃଙ୍ଖଳାରେ ପ୍ରଥମ ମ୍ୟାଚ୍‌କୁ ୨ ୱିକେଟରେ ଜିତିଥିଲା ଅଷ୍ଟ୍ରେଲିଆ । ଏହି ବିଜୟ ସହିତ ୫ ମ୍ୟାଚ୍‌ ବିଶିଷ୍ଟ ଏହି ଶୃଙ୍ଖଳାରେ ୨-୦ରେ ଆଗୁଆ ହୋଇଛି ଅଷ୍ଟ୍ରେଲିଆ । ପ୍ରଥମ ପାଳିରେ ଦମଦାର ଶତକ ସହିତ ଉଭୟ ପାଳିରେ ୧୪୪ ରନ୍‌ ସଂଗ୍ରହ କରିଥିବା ଭେଟେରାନ କ୍ରିକେଟର ଷ୍ଟେଭ୍‌ ସ୍ମିଥ୍‌ ପ୍ଲେୟର୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି ।

ଏହି ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍‌ରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ହେଲେ ଏହା ଇଂଲିସ୍‌ ଦଳ ପାଇଁ ପ୍ରଭାବଶାଳୀ ପ୍ରମାଣିତ ହୋଇ ନଥିଲା । ପ୍ରଥମ ପାଳିରେ ଅଷ୍ଟ୍ରେଲିଆ ପାଇଁ ଯଦିଓ ଉସମାନ ଖାୱଜା କେବଳ ୧୭ ରନ କରି ଆଉଟ ହୋଇଥିଲେ, ଡେଭିଡ୍‌ ୱାର୍ନର କିନ୍ତୁ ୬୬ ରନର ମହତ୍ତ୍ବପୂର୍ଣ୍ଣ ପାଳି ଖେଳିଥିଲେ । ଲାବୁସାନ ୪୭ ରନ କରି ଆଉଟ୍‌ ହୋଇଥିବା ବେଳେ ଟ୍ରାବିସ ହେଡ୍‌ ୭୭ ରନର ବଡ଼ ପାଳି ଖେଳିଥିଲେ । ହେଲେ ଭେଟେରାନ୍‌ ବ୍ୟାଟର ୧୮୪ ବଲ ଖେଳି ୧୧୦ ରନର ଶତକୀୟ ପାଳି ଖେଳିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୱିକେଟ ରକ୍ଷକ ଆଲେକ୍ସ କ୍ୟାରୀ ଓ ଅଧିନାୟକ ପାଟ୍‌ କମିନ୍ସ ୨୨ ରନ ଲେଖାଏଁ କରି ଦଳକୁ ୪୧୬ ରନରେ ପହଞ୍ଚାଇଥିଲେ । ସେପଟେ ପ୍ରଥମ ପାଳିରେ ଇଂଲଣ୍ଡ ପକ୍ଷରୁ ରବିନ୍‌ସନ ଓ ଜୋଶ ଟଙ୍ଗ୍‌ ୩ଟି ଲେଖାଏଁ ୱିକେଟ୍‌ ନେଇଥିଲେ । ଜୋ ରୁଟ୍‌ ୨ଟି ସଫଳତା ପାଇଥିବା ବେଳେ ଜେମ୍ସ ଆଣ୍ଡରସନ୍‌ ଓ ଷ୍ଟୁଆର୍ଟ ବ୍ରଡ୍‌ ଗୋଟିଏ ଲେଖାଏଁ ୱିକେଟ୍‌ ପାଇଥିଲେ ।

ପ୍ରଥମ ପାଳିରେ ଇଂଲଣ୍ଡର ବେନ ଡକେଟ୍‌ ୯୮ ରନର ବଡ଼ ପାଳି ଖେଳିଥିଲେ ମଧ୍ୟ ଶତକ ଠାରୁ ମାତ୍ର ୨ ରନ ପଛରେ ରହି ୱିକେଟ ହରାଇଥିଲେ । ଅନ୍ୟତମ ଓପନର ଜ୍ୟାକ୍‌ କ୍ରାଓଲି ୪୮ ରନ କରି ଆଉଟ ହୋଇଥିଲେ । ଓଲି ପପ୍‌ ୪୨ ରନ କରି ଆଉଟ ହୋଇଥିବା ବେଳେ ହ୍ୟାରୀ ବ୍ରୁକ୍‌ ଅର୍ଦ୍ଧଶତକୀୟ ପାଳି ଖେଳିବାରେ ସକ୍ଷମ ହୋଇଥିଲେ । ଅନ୍ୟ କୌଣସି ବ୍ୟାଟର ୨୦ ରନ ସ୍ପର୍ଶ କରିବାରେ ସମର୍ଥ ହୋଇନଥିଲେ । ସେପଟେ ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର୍କ ସର୍ବାଧିକ ୩ଟି ୱିକେଟ ପାଇଥିଲେ । ହେଜଲେଉଡ୍‌ ଓ ହେଡ୍‌ଙ୍କୁ ୨ଟି ଲେଖାଏଁ ୱିକେଟ ମିଳିଥିଲା । ଅନ୍ୟ ସମସ୍ତେ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ । ଫଳରେ ୩୨୫ ରନରେ ସମସ୍ତ ୱିକେଟ ହରାଇଥିଲା ଇଂଲଣ୍ଡ ।

ଦ୍ବିତୀୟ ପାଳିରେ ଖାୱଜା ୭୭ ରନ ସଂଗ୍ରହ କରି ଦଳ ପାଇଁ ସର୍ବାଧିକ ରନ ସ୍କୋରର ରହିଥିଲେ । ୱାର୍ନର ୨୫, ଲାବୁସାନେ ୩୦ ଓ ଷ୍ଟେଭ୍‌ ସ୍ମିଥ ୩୪ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଲେକ୍ସ କ୍ୟାରୀ (୨୧)ଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ୨୦ ରନ ଛୁଇଁ ପାରିନଥିଲେ । ଏହି ପାଳିରେ ବ୍ରଡ୍‌ଙ୍କୁ ସର୍ବାଧିକ ୪ ୱିକେଟ ସଫଳତା ମିଳିଥିଲା । ଜୋଶ ଟଙ୍ଗ ଓ ରବିନ୍‌ସନ୍‌ ୨ଟି ଲେଖାଏଁ ୱିକେଟ ପାଇଥିଲେ । ଆଣ୍ଡରସନ୍‌ ଓ ଷ୍ଟୋକ୍ସ ଗୋଟିଏ ଲେଖାଏଁ ୱିକେଟ୍‌ ନେଇ ଅଷ୍ଟ୍ରେଲିଆ ପାଳିକୁ ୨୭୯ରେ ଶେଷ କରିଥିଲେ ।

ସେପଟେ ଇଂଲଣ୍ଡ ପକ୍ଷରୁ ଅଧିନାୟକ ଭାର ସମ୍ଭାଳୁଥିବା ବେନ ଷ୍ଟୋକ୍ସ ଶ୍ରେଷ୍ଠ ପ୍ରଦର୍ଶନ କରି ୧୫୫ ରନ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେବଳ ବେନ୍‌ ଡକେଟ୍‌ ୮୩ ରନ କରିଥିଲେ । ଅନ୍ୟ କୌଣସି ବ୍ୟାଟର ୨୦ ରନ ସ୍ପର୍ଶ କରିବାରେ ଅସମର୍ଥ ରହିଥିଲେ । ଫଳରେ ଦଳ ୩୨୭ରେ ଅଟକି ଯଆଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର୍କ, କମିନ୍ସ ଓ ଟ୍ରାବିସ୍‌ ହେଡ୍‌ ୩ଟି ଲେଖାଏଁ ୱିକେଟ ପାଇଥିଲେ । କାମେରନ ଗ୍ରୀନ ଗୋଟିଏ ୱିକେଟ ନେଇଥିଲେ । ଫଳରେ ଅଷ୍ଟ୍ରେଲିଆ ୪୩ ରନରେ ବାଜି ମାରି ନେଇଥିଲା ।