ବାହାନଗା ଟ୍ରେନ ଟ୍ରାଜେଡି: ଡିଏନଏ ପରୀକ୍ଷା ପରେ ଚିହ୍ନଟ ହେଲେ ଆଉ ୧୩ ପରିବାର

ଭୁବନେଶ୍ବର: ବାହାନଗା ଟ୍ରେନ ଟ୍ରାଜେଡିରେ ପୁଣି ୧୩ ଟି ମୃତଦେହକୁ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି । ଡିଏନଏ ପରୀକ୍ଷା ଆଧାରରେ ଏମ୍ସ, ବିଏମସି ଜିଆରପି ଅଧିକାରୀଙ୍କ ସମନ୍ବୟରେ ଏହି ୧୩ଟି ମୃତଦେହକୁ ମୃତକଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ଗତକାଲି ୬ଟି ମୃତଦେହକୁ ହସ୍ତାନ୍ତର କରାଯାଇଥିବାବେଳେ ଏହାକୁ ମିଶାଇ ମୋଟ ୧୯ଟି ହସ୍ତାନ୍ତର କରାଯାଇଛି ।
ସେଥିମଧ୍ୟରୁ ୪ଟି ମୃତଦେହ ବିହାର, ୮ଟି ପଶ୍ଚିମବଙ୍ଗ ଏବଂ ଗୋଟିଏ ମୃତଦେହକୁ ଝାଡଖଣ୍ଡକୁ ପଠାଇ ଦିଆଯାଇଛି । ତେବେ ମୃତକଙ୍କ ମର ଶରୀର ନେବା ସମୟରେ ପରିବାରଙ୍କ ପାଇଁ ଆମ୍ବୁଲାନ୍ସ ଏବଂ ଏସକର୍ଟ ଗାଡି ଓଡିଶା ସରକାର ଏବଂ ପୂର୍ବତଟ ରେଳବାଇ ଦ୍ବାରା ବ୍ୟବସ୍ଥା କରାଯାଇଛି । ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ତଥା ରେଳମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ରେଳବାଇ ଦ୍ବାରା ପରିବାର ସଦସ୍ୟଙ୍କ ସମ୍ପର୍କୀୟଙ୍କୁ ଅର୍ଥରାଶି ପ୍ରଦାନ କରାଯାଇଛି । ଦାବିଦାର ଆସିବା ପର୍ଯ୍ୟନ୍ତ ମୃତଦେହ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିବ।
ସୂଚନା ଅନୁଯାୟୀ ଏମ୍ସରେ ୮୧ଟି ମୃତଦେହରୁ ଗତକାଲି ୨୯ଟି ଡିଏନଏ ରିପୋର୍ଟ ଆସିବା ପରେ ସେଥିମଧ୍ୟରୁ ୬ଟି ମୃତଦେହକୁ ସେମାନଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା । ତେବେ ଆଜି ଆହୁରି ମୃତଦେହ ଚିହ୍ନଟ ହୋଇଥିବା ବେଳେ ଆଜି ୧୩ଟି ମୃତଦେହ ଚିହ୍ନଟ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ସମସ୍ତେ ନିଜ ଅଞ୍ଚଳକୁ ମୃତଦେହ ନେଇଥିବା ଜଣାପଡିଛି । ଅନ୍ୟପଟେ ଭୁବନେଶ୍ଵରରେ ବିଏମସି ପକ୍ଷରୁ ଭରତପୁର ଏବଂ ସତ୍ୟନଗର ଶ୍ମଶାନ ଦୁଇଟିରେ ମୃତଦେହକୁ ଦାହ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।