ଦେବଗଡ଼,ଏନ୍ଏନ୍ଏସ୍: ଛେଳି ଚରାଇବା ପାଇଁ ଜଙ୍ଗଲକୁ ଯାଇଥିବା ଜଣେ ବିବାହିତା ମହିଳାଙ୍କୁ ଜଣେ ଯୁବକ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅଧାରରେ ବାରକୋଟ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ପୁଲିସ ସୂଚନା ଅନୁସାରେ ବାରକୋଟ ଥାନା ଅନ୍ତର୍ଗତ ଖଡିନାଳି ଗ୍ରାମର ଜଣେ ୩୦ ବର୍ଷୀୟା ବିବାହିତା ମହିଳା ଆଜି ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବାବେଳେ ଦିନ ୧୧ଟା ସମୟରେ ଉକ୍ତ ଗ୍ରାମର ସୁଶାନ୍ତ ଦଳବେହେରା ନାମକ ଜଣେ ଯୁବକ ହଠାତ ତାଙ୍କ ନିକଟକୁ ଧାଇଁଆସି ‘ତୁମ ଗାଇ ମୋ ଧାନ କିଆରୀରେ ପଶି ଧାନ ଖାଉଛନ୍ତି, ଦେଖ ମୁଁ ଫଟୋ ଉଠାଇ ଆଣିଛି’ ବୋଲି କହିଥିଲା। ଏହା ପରେ ଯୁବକ ଜଣଙ୍କ ଉକ୍ତ ମହିଳାଙ୍କ ହାତଧରି ତାଙ୍କ ସହ ଫଟୋ ଉଠାଇବାକୁ ବାଧ୍ୟ କରିବା ସହ ତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା। ମାତ୍ର ମହିଳା ଜଣଙ୍କ କୌଶଳକ୍ରମେ ସେଠାରୁ ଖସିଆସିଥିଲେ।
ଏନେଇ ଉକ୍ତ ମହିଳା ଆଜି ଅପରାହ୍ଣରେ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅଧାରରେ ବାରକୋଟ ଥାନା ପୁଲିସ ଅଭିଯୁକ୍ତ ସୁଶାନ୍ତ ବିରୋଧରେ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।