ଦେବଗଡ଼,ଏନ୍ଏନ୍ଏସ୍: ସ୍କୁଲ ପରିସରରେ ପ୍ରଧାନଶିକ୍ଷକଙ୍କୁ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ଜଣେ ଯୁବକକୁ ଦେବଗଡ଼ ଥାନା ପୁଲିସ ଗିରଫ କରିଥିବା ଜଣାପଡ଼ିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ବୃନ୍ଦାବନପୁର ଗ୍ରାମର ଚକାଡ଼ୋଳା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ସାହୁ ଗତକାଲି ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ବିଦ୍ୟାଳୟରେ ଥିବାବେଳେ ଉକ୍ତ ଗ୍ରାମର କ୍ଷେତ୍ରବାସୀ ଧଳ ସ୍କୁଲ ଭିତରକୁ ପଶି ଆସିଥିଲା। ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଳଜ କରିବା ସହ ହତ୍ୟା ଧମକ ଦେଉଥିଲା। ଏହି ସମୟରେ ପ୍ରଧାନଶିକ୍ଷକ ଶ୍ରୀ ସାହୁ ଅଭିଯୁକ୍ତକୁ ଏଭଳି ନ କରିବାକୁ ବାରଣ କରୁଥିବାବେଳେ ସେ ହାତରେ ଧରିଥିବା କୋଦାଳ ସାହଯ୍ୟରେ ତାଙ୍କୁ ଆକ୍ରମଣ କରିବା ସହ ମୋବାଇଲ ଛଡ଼ାଇ ନେଇଥିଲା। ସେହିପରି ବିଦ୍ୟାଳୟରେ ଥିବା ଅନ୍ୟ କର୍ମଚାରୀଙ୍କୁ ହତ୍ୟା ଧମକ ଦେଇ ଭୟଭୀତ କରାଇ ବିଦ୍ୟାଳୟ ପରିସରରେ ଆତଙ୍କ ସୃଷ୍ଟି କରିଥିଲା। ତେବେ ଆକ୍ରମଣର ଶିକାର ହୋଇଥିବା ପ୍ରଧାନଶିକ୍ଷକ ଶ୍ରୀ ସାହୁ ଚିକିତ୍ସିତ ହେବା ପରେ ଗତକାଲି ସନ୍ଧ୍ୟାରେ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ଦେବଗଡ଼ ଥାନା ପୁଲିସ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ଘଟଣ।।ର ତଦନ୍ତ କରିବା ସହ ଆଜି ଅଭିଯୁକ୍ତକୁ ଗିରଫ କରିଥିବା ଥାନାଧିକାରୀ ସୁରେନ୍ଦ୍ର କୁମାର ନାୟକ ସୂଚନା ଦେଇଛନ୍ତି।