ଅଙ୍ଗନବାଡ଼ିି କେନ୍ଦ୍ରରେ ଶିଶୁଙ୍କୁ ମିଳୁଛିି ପୋକ ସାଲୁବାଲୁ ସୁଜି ଓ ଛତୁଆ

ଦେବଗଡ଼,ଏନ୍ଏନ୍ଏସ୍: ରାଜ୍ୟ ସରକାର ଶିଶୁ ବିକାଶ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ କେତେକ ଅସାଧୁ ଅଧିକାରୀଙ୍କ ଅର୍ଥଖୋର ମନୋଭାବ ଏହି ଯୋଜନାକୁ ବାଟବଣା କରୁଛି। ଶିଶୁଙ୍କୁ ପୃଷ୍ଟିକର ଖାଦ୍ୟ ପରିବର୍ତ୍ତେ ପୋକଲଗା ଖାଦ୍ୟ ଯୋଗାଇ ସେମାନଙ୍କ ଜୀବନ ସହ ଖେଳାଯାଉଥିବା ଭଳି ଏକ ଘଟଣା ଦେଖିବାକୁ ମିଳିଛି। ବାରକୋଟ ବ୍ଲକ ପୁରୁଣା ପାଣି ଗ୍ରାମରେ ସମନ୍ୱିତ ଶିଶୁ ବିକାଶ ବିଭାଗ ତରଫରୁ ଅଙ୍ଗନବାଡ଼ି କେନ୍ଦ୍ର ଖୋଲାଯାଇ ଶିଶୁଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗଇ ଦିଆଯାଇଥାଏ। ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିଥିବାରୁ ରନ୍ଧା ଖାଦ୍ୟ ବଦଳରେ ଶୁଖିଲା ଖାଦ୍ୟ ଶିଶୁଙ୍କ ଘରକୁ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି। ମାତ୍ର ପୁରୁଣାପାଣିଠାରେ ଏହାର ବ୍ୟତିକ୍ରମ ଦେଖାଯିବା ସହ ଶିଶୁଙ୍କୁ ଯୋଗାଇ ଦିଆଯାଉଥିବା ପୋକ ସାଲୁବାଲୁ ସୁଜି ଓ ଛତୁଆ ପ୍ୟାକେଟ ପ୍ରାୟ ୩ମାସ ପୁରୁଣା ବୋଲି ଜଣାପଡ଼ିଛି। ଏହାକୁ ନେଇ ସମନ୍ୱିତ ଶିଶୁ ବିକାଶ ବିଭାଗ ଉକ୍ତ ଅଞ୍ଚଳର ଶିଶୁଙ୍କ ଜୀବନ ସହ ଖେଳ ଖେଳୁଥିବା ବହୁ ଅଭିଭାବକ ଅଭିଯୋଗ କରିଛନ୍ତି। ଏନେଇ ବାରକୋଟ ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ପ୍ରବୀଣା ମିଶ୍ରଙ୍କୁ ପଚାରିବାରୁ ସେ ଏ ଘଟଣାକୁ ସ୍ୱୀକାର କରିବା ସହ ଯେଗାଣକାରୀ ସଂସ୍ଥାକୁ କଡ଼ା ତାଗିଦ କରି ଉଚ୍ଚ ପଦାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ପ୍ରକାଶ କରିଥିଲେ। ତେବେ ବିଭାଗୀୟ ଅଧିକାରୀ ଓ ଯୋଗଣକାରୀ ସଂସ୍ଥାଙ୍କ ଅସାଧୁ ମନୋଭାବ ଯୋଗୁ ଶିଶୁଙ୍କ ଜୀବନହାନୀ ଆଶଙ୍କା ସୃଷ୍ଟି ହେଉଥିବାରୁ ବିଭାଗୀୟ ଉଚ୍ଚପଦାଧିକାରୀ ଏନେଇ ବିଶେଷ ଦୃଷ୍ଟି ଦେବାସହ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।