୩ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ, ବଜେଟକୁ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ

ଭୁବନେଶ୍ବର,ଏନ୍ଏନ୍ଏସ୍: ୩ ଦିନିଆ ଓଡିଶା ଗସ୍ତରେ ଆସିଥିବା ରେଳ ମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମ ପୂର୍ବରୁ ସ୍ୱର ସାମ୍ରାଜ୍ଞୀ ଭାରତ ରତ୍ନ ଲତା ମଙ୍ଗେଶକରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହା ପରେ ୨୦୨୨-୨୩ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟକୁ ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି, ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀଙ୍କ ହୃଦୟରେ ବିଶେଷ ସ୍ଥାନ ରହିଛି। ଆଗରୁ ଓଡ଼ିଶାକୁ ଯେପରି ଅର୍ଥ ଦରକାର ଥିଲା, ତାହା ମିଳି ପାରୁନଥିଲା ମାତ୍ର ଆଜି ଯାହା ଦାବି କରାଯାଉଛି, ତାହାଠୁ ଅଧିକ ମିଳୁଛି।

ଉଦାହରଣସ୍ୱରୂପ ରେଳ ବିଭାଗକୁ ୨୦୧୪ରୁ ୨୦୧୯ରେ ୯୭୩୪ କୋଟି ଟଙ୍କାର ରେକର୍ଡ ପରିମାଣର ଅନୁଦାନ ଦିଆଯାଇଛି। ଆମ ସମସ୍ତଙ୍କୁ ମିଳିତ ଉଦ୍ୟମ କରିବାକୁ ହେବ ଏହି ଅର୍ଥକୁ ଖର୍ଚ୍ଚ କରିବାକୁ ହେବ। ଜମି ଅଧିଗ୍ରହଣ ଓ ଫରେଷ୍ଟ କ୍ଲିଆରାନ୍ସ ହୋଇପାରିଲେ ଏବଂ ଏହି ଟଙ୍କାକୁ ଆମେ ଖର୍ଚ୍ଚ କଲେ ଆମକୁ ଅଧିକ ଅର୍ଥ ମିଳିବ। ଟେଲିକମ ସେକ୍ଟରରେ ୩୯୩୩ ନୂଆ ସାଇଟକୁ ଆମେ ବାଛିଛୁ। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ବାଦ ଯଦି କୌଣସି ଗାଁ ରହିଯିବ, ତା ପାଇଁ ମଧ୍ୟ କାର୍ଯ୍ୟ କରାଯିବ। ସେଥିଲାଗି କାମ କରାଯାଉଛି।

ସେ ଆହୁରି କହିଛନ୍ତି, ବିଏସଏନଏଲ ଭଳି ସଂସ୍ଥାକୁ ୟୁପିଏ ସରକାର ଏକ ଦେବାଳିଆ ସଂସ୍ଥାରେ ପରିଣତ କରିଥିଲେ। ପ୍ରଧାନମନ୍ତ୍ରୀ ୨୦୧୪ ପରେ ଏଥିରେ କିଛି ସଂସ୍କାର ଆଣିବା ପରେ ଗତବର୍ଷ ଏଥିରେ କିଛି ଲାଭ ମିଳିଛି। ଭାରତରେ ଫୋର ଜିର ଡିଜାଇନ ହୋଇସାରିଛି ଏବଂ ଫାଇଭ୍ ଜି କ୍ଷେତ୍ରରେ ମଧ୍ୟ କାର୍ଯ୍ୟ ଚାଲିଛି। ଚଳିତ ବର୍ଷ ୪୫ ହଜାର କୋଟି ଟଙ୍କା ଦିଆଯାଇଛି। ସେଥିରେ ଫୋର ଜି ଭଳି ବ୍ୟବସ୍ଥା କରାଯାଉଛି।

ଚାଷୀ, ଗରିବକୁ ଘର, ଜଳ ଯୋଗାଣ, ରୋଜଗାର ଆଦି ପ୍ରତି କ୍ଷେତ୍ରରେ ଏହି ବଜେଟରେ ରେକର୍ଡ ଅନୁଦାନ ଦିଆଯାଇଛି। ଚାଷୀଙ୍କ ଟଙ୍କା ଚାଷୀଙ୍କ ଖାତାକୁ ଯିବା ପାଇଁ ଏଥର ବଜେଟରେ ବ୍ୟବସ୍ଥା କରାଯାଇଛି ବୋଲି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

ବାରଟି ଷ୍ଟେସନ ଡିଜାଇନ ଓ ଅପଗ୍ରେଡ ଚାଲିଛି। ସବୁ ଦିଗକୁ ଗୁରୁତ୍ୱ ଦିଆଯାଉଛି। ନୂଆ ରେଳ ଲାଇନ ପାଇଁ ବ୍ୟବସ୍ଥା କରାଯାଇଛି। ମୟୂରଭଞ୍ଜ ଅଞ୍ଚଳରେ ତିନିଟି ନୂଆ ରେଳ ଲାଇନ ପାଇଁ ବି କାର୍ଯ୍ୟ କରାଯାଉଛି।

ଓଡ଼ିଶା ମାଟିର ଋଣ ଶୁଝାଇବା ଏବଂ ପ୍ରଧାନମନ୍ତ୍ରୀଙ୍କର ଯାହା ଭିଜନ ଅଛି ତାକୁ ଆଗେଇବା ନେବା କାର୍ଯ୍ୟରେ ଆମେ ଲାଗିଛ। ଏହି ଅବସରରେ ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିବା ସହ ପୁଷ୍ପାଞ୍ଜଳି ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।