ଏସିଆନ୍ ଭାରୋତ୍ତୋଳନ ଚାମ୍ପିଅନଶିପ୍ : ଓଡ଼ିଶାର ଝିଲିଙ୍କୁ ବ୍ରୋଞ୍ଜ୍ ପଦକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏସିଆନ୍ ଜୁନିୟର ଭାରୋତ୍ତୋଳନ ଚାମ୍ପିଅନଶିପରେ ଓଡ଼ିଆ ପ୍ରତିଯୋଗୀଙ୍କୁ ପ୍ରଥମ ପଦକ ମିଳିଛି। ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସର ଅନ୍ତେବାସୀ ଝିଲି ଦଳବେହେରା ସାଉଥ୍ କୋରିଆରେ ଚାଲିଥିବା ଏସିଆର ଏହି ଶ୍ରେଷ୍ଠ ଭାରୋତ୍ତୋଳନ ଚାମ୍ପିଅନଶିପରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ମହିଳା ୪୫ କିଲୋଗ୍ରାମ୍ କାଟାଗୋରିରେ ସେ ସ୍ନାଚରେ ୬୭ କେଜି, କ୍ଲିନ୍ ଆଣ୍ଡ ଜର୍କରେ ୮୯ କେଜି ଓଜନ ଉଠାଇଥିଲେ। ମୋଟରେ ୧୫୬ କେଜି ଓଜନ ଉଠାଇ ଝିଲି ତୃତୀୟ ସ୍ଥାନରେ ରହିଥିଲେ। ଜାତୀୟ ଓ ଅନ୍ତର୍ଜାତୀୟ ଭାରୋତ୍ତୋଳନରେ ଜଣେ ଉଦୀୟମାନ ପ୍ରତିଯୋଗୀଭାବେ ବିବେଚିତ ଝିଲିଙ୍କ ଏହି ପଦକ ବିଜୟ ଓଡ଼ିଶାକୁ ଗର୍ବିତ କରିଛି। ତାଙ୍କର ଏହି ସଫଳତା ଲାଗି ରାଜ୍ୟ ଭାରୋତ୍ତୋଳନ ମହାସଂଘ ସଭାପତି ଇଂ ଚିତ୍ତରଞ୍ଜନ ସ୍ୱାଇଁ ଓ ସମ୍ପାଦକ ନାରାୟଣ ସାହୁ ଝିଲିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।