ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲ୍: ଜାପାନଠାରୁ ୫-୩ରେ ହାରିଲା ଭାରତ

ବୁଧବାର ପାକିସ୍ତାନ ସହ ବ୍ରୋଞ୍ଜ୍ ପଦକ ମ୍ୟାଚ୍ ଖେଳିବ

ଢାକା,ଏଜେନ୍ସି: ଡିଫେଣ୍ଡିଂ ଚାମ୍ପିଅନ୍ ତଥା ଟୋକିଓ ଅଲିମ୍ପିକ୍ ବ୍ରୋଞ୍ଜ୍ ପଦକ ବିଜେତା ଭାରତୀୟ ହକି ଦଳର ଏଠାରେ ଚାଲିଥିବା ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ବିଜାୟ ଧାରା ମଙ୍ଗଳବାର ବ୍ରେକ୍ ଲାଗିଛି। ମଙ୍ଗଳବାର ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲ୍‌ରେ ଜାପାନ ୫-୩ରେ ଭାରତକୁ ହରାଇ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି। ଭାରତ ବିପକ୍ଷରେ ଜାପାନର ରେକର୍ଡ ଖରାପ ରହିଥିବା ବେଳେ ଭାରତ ରାଉଣ୍ଡ୍ ରବିନ୍ ମ୍ୟାଚ୍‌ରେ ଜାପାନକୁ ୬-୦ ଗୋଲ୍‌ରେ ହରାଇ ଦେଇଥିଲା। ତେଣୁ ଏହି ମ୍ୟାଚ୍ ପୂର୍ବରୁ ଭାରତ ବିଜୟର ପ୍ରବଳ ଦାବିଦାର ଥିଲା। ମାତ୍ର ସମସ୍ତ ରେକର୍ଡକୁ ବଦଳାଇ ଜାପାନ ଏହି ମ୍ୟାଚ୍ ଜିତି ଫାଇନାଲ୍‌ରେ ପ୍ରବେଶ କରିଛି। ଅନ୍ୟପକ୍ଷରେ ସେମିଫାଇନାଲ୍‌ରେ ହାରିବା ପରେ ଭାରତ ଏବେ ବ୍ରୋଞ୍ଜ୍ ପଦକ ପାଇଁ ବୁଧବାର ପାକିସ୍ତାନକୁ ଭେଟିବ। ଜାପାନ ଓ କୋରିଆ ମଧ୍ୟରେ ଫାଇନାଲ୍ ମୁକାବିଲା ଖେଳାଯିବ।

ମଙ୍ଗଳବାର ଜାପାନ ମ୍ୟାଚ୍ ପ୍ରାରମ୍ଭରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରି ମନ୍‌ପ୍ରୀତ୍‌ଙ୍କ ନେତୃତ୍ୱାଧୀନ ଭାରତୀୟ ଦଳର ଡିଫେନ୍ସକୁ ଭେଦିବାକୁ ଉଦ୍ୟମ କରିଥିଲା। ଫଳରେ ଦଳକୁ ପ୍ରଥମ ମିନିଟ୍‌ରେ ହିଁ ସଫଳତା ମିଳିଥିଲା। ଶୋତା ୟମାଦା ପେନାଲ୍ଟି କର୍ଣ୍ଣର୍‌ରୁ ଗୋଲ୍ କରି ଦଳକୁ ଅଗ୍ରଣୀ କରିଥିଲେ। ଦ୍ୱିତୀୟ ମିନିଟ୍‌ରେ ରାଇକି ଫୁଜିଶିମା ଦଳକୁ ମିଳିଥିôବା ପେନାଲ୍ଟି କର୍ଣ୍ଣର୍‌ରୁ ଗୋଲ୍ କରିଥିଲେ। ପ୍ରଥମ କ୍ୱାର୍ଟର୍‌ରେ ଜାପାନ ୨-୦ରେ ଆଗୁଆ ରହିଥିଲା। ତେବେ ଦ୍ୱିତୀୟ ମିନିଟ୍‌ରେ ଭାରତ ପ୍ରତ୍ୟାବର୍ତ୍ତନ କରିବାରେ ସଫଳ ହୋଇଥିଲା ଏବଂ ହାର୍ଦ୍ଦିକ ସିଂହ ଏକ ଆକର୍ଷଣୀୟ ଫିଲ୍ଡ ଗୋଲ୍ ମାଧ୍ୟମରେ ସ୍ଥିତି ୧-୨ କରିଥିଲା। ଏହି ଗୋଲ୍‌ରେ ଅଧିନାୟକ ମନ୍‌ପ୍ରୀତ୍ ଓ ଦିଲ୍‌ପ୍ରୀତ୍ ସିଂହ ସାୟତା କରିଥିଲେ। ଏହାପରେ ୨୯ତମ ମିନିଟ୍‌ରେ ଭାରତ ସ୍ଥିତି ସମାନ କରିବା ସୁଯୋଗ ହାତଛଡ଼ା କରି ଦେଇଥିଲା। ୨୪ତମ ମିନିଟ୍‌ରେ ଗୋଲ୍‌କିପର୍ କୃଷ୍ଣ ବାହାଦୁର ପାଠକ ଏକ ଆକର୍ଷଣୀୟ ସେଭ୍ ମାଧ୍ୟମରେ ଜାପାନର ତୃତୀୟ ଗୋଲ୍ ଉଦ୍ୟମକୁ ପଣ୍ଡ କରିଦେଇଥିଲେ। ଏହି ସମୟରେ ଭିଡିଓ ଅମ୍ପାୟାର୍ ଜାପାନର ପେନାଲ୍ଟି କର୍ଣ୍ଣର୍‌କୁ ଅସ୍ୱୀକାର କରିଥିଲେ। ତଥାପି ଜାପାନ ତା’ ଆକ୍ରମଣ ଜାରି ରଖିଥିଲା ଏବଂ ୨୯ତମ ମିନିଟ୍‌ରେ ପେନାଲ୍ଟି କର୍ଣ୍ଣର୍‌ରୁ ଆଉ ଏକ ଗୋଲ୍ କରି ହାଫ୍‌ଟାଇମ୍ ସୁଦ୍ଧା ଅଗ୍ରଣୀକୁ ୩-୧ରେ ପହଞ୍ଚାଇ ଦେଇଥିଲା। ଜାପାନ ପକ୍ଷରୁ ତୃତୀୟ ଗୋଲ୍‌ଟି ୟୋଶିକୀ କିରିଶିତା କରିଥିଲେ। ପ୍ରଥମ ହାଫ୍‌ରେ ଜାପାନ ଚାରିଟି ପେନାଲ୍ଟି କର୍ଣ୍ଣର୍ ହାସଲ କରିଥିବା ବେଳେ ଭାରତକୁ କେବଳ ଗୋଟିଏ ମିଳିଥିଲା।

ଦ୍ୱିତୀୟ ହାଫ୍‌ରେ ସ୍ଥିତି ସମାନ କରିବାକୁ ଭାରତକୁ ବହୁ ପରିଶ୍ରମ କରିବାର ଥିଲା। ମାତ୍ର ଜାପାନ ଦ୍ୱିତୀୟ ହାଫ୍‌ରେ ମଧ୍ୟ ନିଜ ପ୍ରଭାବ ଜାରି ରଖିଥିଲା। ୩୫ତମ ମିନିଟ୍‌ରେ ଜାପାନ ଆଉ ଏକ ଆକର୍ଷଣୀୟ ଗୋଲ୍ କରି ସ୍କୋର୍ ଲାଇନ୍ ୪-୧ କରିଥିଲା। ଏହି ଗୋଲ୍ କୋସେଇ କୱାବେ କରିଥିଲେ। ଏହାପରେ ୪୧ତମ ମିନିଟ୍‌ରେ ଟନାକାଙ୍କ ଉନ୍ନତ ଗୋଲ୍ ମାଧ୍ୟମରେ ଜାପାନ ୫-୧ର ବିଶାଳ ଅଗ୍ରଣୀ ଲାଭ କରିଥିଲା।

ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟର୍‌ରେ ମଧ୍ୟ ଜାପାନ ଉନ୍ନତ ପ୍ରଦର୍ଶନ କରିଥିଲା। ୪୩ତମ ମିନିଟ୍‌ରେ ଉପଅଧିନାୟକ ହରମନ୍‌ପ୍ରୀତ୍ ସିଂ ଗୋଲ୍ ବଳରେ ବ୍ୟବଧାନ ୨-୫ କରିଥିଲା। ଏହାପରେ ୬୦ତମ ମିନିଟ୍‌ରେ ହାର୍ଦ୍ଦିକ ସିଂହ ଗୋଲ୍ କରି ଏହାକୁ ୩-୫ କରିଥିଲେ। ମାତ୍ର ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିଲା ଏବଂ ଏହାପରେ ଭାରତୀୟ ଦଳ କୌଣସି ଚମତ୍କାର କରିପାରି ନଥିଲା। ଫଳରେ ଦଳକୁ ପରାଜୟର ମୁହଁ ଦେଖିବାକୁ ମିଳିଥିଲା। ଏହି ବିଜୟ ସହ ଜାପାନ ରାଉଣ୍ଡ ରବିନ୍ ମ୍ୟାଚ୍‌ରେ ଭାରତଠାରୁ ୬-୦ ପରାଜୟର ପ୍ରତିଶୋଧ ନେଇଥିଲା।
ମଙ୍ଗଳବାର ଖେଳାଯାଇଥିବା ଅନ୍ୟ ଏକ ସଂଘର୍ଷପୂର୍ଣ୍ଣ ସେମିଫାଇନାଲ୍‌ରେ ସାଉଥ୍ କୋରିଆ ୬-୫ ଗୋଲ୍‌ରେ ପାକିସ୍ତାନକୁ ହରାଇ ଦେଇଥିଲା।