ବିରାଟଙ୍କ ବିରାଟ ପାଳି, ପାକିସ୍ତାନକୁ ୧୮୨ ରନ୍‌ର ଟାର୍ଗେଟ

ହାଇଦ୍ରାବାଦ,ଏଜେନ୍ସି: ଏସିଆ କପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଛି ମହାମୁକାବିଲା । ପାକିସ୍ତାନକୁ ୧୮୨ ରନର ଟାର୍ଗେଟ ଦେଇଛି ଭାରତ । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୮୧ ରନ କରିଛି । ବିରାଟ କୋହଲି ପୁଣିଏକ ଦମଦାର ଅର୍ଦ୍ଧଶତକ ହାସଲ କରିଛନ୍ତି ।

ଆଜିର ହାଇଭୋଲଟେଜ ମୁକାବିଲାର ହିରୋ ସାଜିଲେ ଷ୍ଟାର ବ୍ୟାଟ୍ସ ମ୍ୟାନ ବିରାଟ କୋହଲି । ତାଙ୍କର ଅର୍ଦ୍ଧଶତକ ବଳରେ ଭାରତ ୬ ୱିକେଟ ହରାଇ ନିର୍ଦ୍ଧାରିତ ୨୦ ଓଭରରେ ୧୮୧ ରନ କରିବାକୁ ସମର୍ଥ ହୋଇପାରିଛି । ପାକିସ୍ତାନଠୁ ବ୍ୟାଟିଂ ଆମନ୍ତ୍ରଣ ପାଇ ଓପନିଂ ଯୋଡି ବହୁତ ଭଲ ଇନିଂସ ଆରମ୍ଭ କରିଥିଲେ । ଉଭୟଙ୍କ ପାର୍ଟନରସିପପରେ ଭାରତ ୫ ଓଭରରେ ୫୦ ରନ କରିସାରିଥିଲା । ପରେ ଓପନିଂ ଯୋଡି ଆଉଟ ହେବା ପରେ ମିଡିଲ ବ୍ୟାଟିଂ ଅର୍ଡର ଉପରେ ଚାପ ବଢିଥିଲା ।

ଭାରତର ଗୋଟେ ପରେ ଗୋଟେ ୱିକେଟ ଖସିବାକୁ ଲାଗିଥିଲା । ବିରାଟ କୋହଲି ଦମଦାର ବ୍ୟାଟିଂ କରି ଭାରତର ସ୍କୋରକୁ ଆଗକୁ ନେବାରେ ସହାୟକ ହୋଇଥିଲେ । ସେ ୪୪ ବଲରୁ ୪ ଚୌକା ଏବଂ ଗୋଟିଏ ଛକା ମାରି ୬୦ରନର ଇନିଂସ ଖେଳି ଆସିଫ ଅଲ୍ଲୀ ଦ୍ବାରା ରନ ଆଉଟ୍‌ ହୋଇଥିଲେ । ରୋହିତ ଶର୍ମା ଏବଂ ଲୋକେଶ ରାହୁଲ ଭଲ ପାଳି ଆରମ୍ଭ କରିଥିଲେ । ଉଭୟ ୨୮ ରନ କରି ଆଉଟ୍‌ ହୋଇଛନ୍ତି । ସେପଟେ ମିଡିଲଅର୍ଡରରେ ସବୁଠୁ ଭରସାଯୋଗ୍ୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଜି ଖାତା ଖୋଲିବାରେ ବିଫଳ ହୋଇଛନ୍ତି । ସେ ମହମ୍ମଦ ହାସନଙ୍କ ବଲରେ ଜିରୋରେ ଆଉଟ ହୋଇ ପାଭଲିୟନ ଫେରିଯାଇଥିଲେ । ସେହିପରି ସୂର୍ଯ୍ୟକୁମାର ଯାଦବ ୧୩, ଋଷଭ ପନ୍ତ ୧୪, ଦୀପକ ହୁଡା ୧୬ ରନ କରି ଆଉଟ ହୋଇଛନ୍ତି ।