ପୁଲିସ୍ ବାଇକକୁ ନେଇ ଅଭିଯୁକ୍ତ ଛୁ, ଏଏସ୍ଆଇ ଓ ହାବିଲଦାର ନିଲମ୍ବିତ

ବାରିପଦା,ଏନ୍ଏନ୍ଏସ୍: ପୁଲିସ ହେପାଜତରୁ ଏବଂ ପୁଲିସର ବାଇକ୍ ଧରି ଅଭିଯୁକ୍ତ ଫେରାର୍ ଘଟଣାରେ କର୍ତବ୍ୟରେ ଅବହେଳା କରିଥିବାର ଦର୍ଶାଇ ଶୁଳିଆପଦା ଥାନା ଏଏସଆଇ ସତ୍ୟନାରାୟଣ ବାରିକ ଓ ହାବିଲଦାର ଦୀପ୍ତେଶ କୁମାର ଦାଶଙ୍କୁ ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ପରମାର ସ୍ମିଥ ପରଷୋତମ ଦାସ ଆଜି କାର୍ୟ୍ୟରୁ ନିଲମ୍ବନ କରିଛନ୍ତି  ।

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଗତ ଗୁରୁବାର ସନ୍ଧ୍ୟା ସମୟରେ ଶୁଳିଆପଦା ଥାନା ଅଧୀନ କୁଜିଡ଼ିହି ନିକଟରେ ଏକ ସଡ଼କ ଦୁର୍ଘଟଣା ହୋଇଥିବାର ଖବର ପାଇ ଏଏସଆଇ ସତ୍ୟନାରାୟଣ ଓ ହାବିଲଦାର ଦୀପ୍ତେଶ ଘଟଣାସ୍ଥଳରେ ପହଁଚି ଗୁରୁତର ଆହତ ହୋଇଥିବା ଜନୈକ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବାରିପଦା ପିଆରଏମ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ପଠାଇଥିଲେ ।

ଏଥି ସହିତ ଦୁର୍ଘଟଣା ଘଟାଇଥିବା ପଶ୍ଚିମବଙ୍ଗ ରାଜ୍ୟ ମନୋହରପୁର ଅଂଚଳର ସଞ୍ଜୀବ ଜେନା ସାମାନ୍ୟ ଆହତ ହୋଇଥିବାରୁ ତାଙ୍କୁ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତି କରାଇଥିଲେ । ଏହି ସମୟରେ ସୁଯୋଗ ଉଣ୍ଡି ଏଏସଆଇ ସତ୍ୟନାରାୟଣ ଓ ହାବିଲଦାର ଦୀପ୍ତେଶଙ୍କୁ ଚକ୍ମା ଦେଇ ପୁଲିସର ବାଇକ୍ ଧରି ଅଭିଯୁକ୍ତ ସଞ୍ଜୀବ ଫେରାର୍ ହୋଇଯାଇଥିଲା ଏବଂ ଶେଷରେ ସଞ୍ଜୀବ ବାଇକକୁ ଉଦଳା ବଜାର ନିକଟ ଏକ ଜଙ୍ଗଲରେ ଛାଡ଼ି ପଳାଇଯାଇଥିଲା । ଖବର ପାଇ ଉକ୍ତ ବାଇକକୁ ଉଦଳା ଥାନା ପୁଲିସ ଆଜି ଜବତ କରିଥିଲା ।