କୋଣାର୍କ ଗର୍ଭଗୃହରୁ ବାହାରିବ ବାଲି: ଏଏସ୍‌ଆଇ

ପୁରୀ,ଏନ୍ଏନ୍ଏସ୍: ବ୍ଲାକ ପାଗୋଡ଼ାର ସୁରକ୍ଷାକୁ ନେଇ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ବିଶ୍ବ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର କୋଣାର୍କର ଗର୍ଭଗୃହ ଭିତରୁ ବାଲି ବାହାର କରିବାକୁ ନିଷ୍ପତ୍ତି ନେଇଛି ପ୍ରତ୍ତ୍ନତତ୍ତ୍ବ ବିଭାଗ । ପ୍ରାୟ ୧୨୦ ବର୍ଷ ପରେ ଗର୍ଭ ଗୃହରୁ ବାଲି ବାହାରିବ । ଏହାକୁ ଉଭୟ ଗବେଷକ ଓ ଇତିହାସକାର ସ୍ବାଗତ କରିଥିବା ବେଳେ ଏହି କାମରେ ନୂଆ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିପାରେ ବୋଲି କହିଛନ୍ତି ଏଏସ୍‌ଆଇ ସୁପରିଟେଣ୍ଡେଣ୍ଟ୍‌ । ତେବେ ୩ ବର୍ଷ ଲାଗିବ କୋଣାର୍କର ଗର୍ଭଗୃହ ଭିତରୁ ବାଲି ବାହାର କରିବାକୁ ।

୧୯୦୩ ମସିହାରେ ଜଗମୋହନର ତତ୍କାଳୀନ ସୁରକ୍ଷା ପାଇଁ ବ୍ରିଟିଶ ସରକାର ଗର୍ଭଗୃହରେ ବାଲି ଭର୍ତ୍ତି କରିଥିଲେ । କେବେଳ ଜଗମୋହନ ନୁହେଁ । ମନ୍ଦିର ତିନି ଦ୍ବାର ମଧ୍ୟ ବାଲି ପକାଇ ବନ୍ଦ କରି ଦିଆଯାଇଥିଲା । ତେବେ ବର୍ତ୍ତମାନ ଏହାଦ୍ବାରା ମନ୍ଦିର ପ୍ରତି ବିପଦ ସୃଷ୍ଟି ହୋଇଛି । ଏଥିପାଇଁ ମନ୍ଦିର ଭିତରୁ ବାଲି କାଢ଼ିବାକୁ ନିଷ୍ପତ୍ତି ନିଆଯାଇଛି । ଯାହାଦ୍ବାରା ୧୩ଶ ଶତାବ୍ଦୀର ଐତିହ୍ୟ ମନ୍ଦିର ଆହୁରି ୫୦୦ରୁ ୭୦୦ ବର୍ଷ ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିପାରିବ ।