ତେଜିଲା ଆଦିତ୍ୟନାଥ-କେଜରିୱାଲ ବିବାଦ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦ୍ମୀ ପାର୍ଟି (ଆପ୍)ର ସୁପ୍ରିମୋ ଅରବିନ୍ଦ କେଜରିୱାଲଙ୍କ ମଧ୍ୟରେ ବିବାଦ ଜୋର ଧରିଛି। ଶାହିନବାଗ ଆନ୍ଦୋଳନକୁ ଆପ୍ ସମର୍ଥନ କରୁଛି ବୋଲି ଯୋଗୀ ଆଦିତ୍ୟନାଥ ଆରୋପ କରିବା ପରିପ୍ରେକ୍ଷୀରେ ଦିଲ୍ଲୀରେ ଆଦିତ୍ୟନାଥଙ୍କ ନିର୍ବାଚନ ପ୍ରଚାର ବ୍ୟାନ୍ କରାଯିବାକୁ ଆପ୍ ନେତା କେଜରିୱାଲ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଛନ୍ତି।

କେଜରିୱାଲଙ୍କୁ ଟାର୍ଗେଟ୍ କରି ଯୋଗୀ ଆଦିତ୍ୟନାଥ ରବିବାର ଅଭିଯୋଗ କରିଛନ୍ତି, ଆପ୍ ସରକାର ଶାହିନବାଗ ଭଳି ଆନ୍ଦୋଳନ ସୃଷ୍ଟି କରି ଦିଲ୍ଲୀରେ ଅରାଜକତା ସୃଷ୍ଟି କରିବାକୁ ଉଦ୍ୟମ କରୁଛି। ନାଗରିକତା ସଂଶୋଧନ ଆଇନ୍ (ସିଏଏ)କୁ ବିରୋଧ ଆଳରେ ଆପ୍ ସରକାର ଏଭଳି ପରିସ୍ଥିତି ସୃଷ୍ଟି କରିଛି। କେଜରିୱାଲଙ୍କ ସହ ପାକିସ୍ତାନକୁ ଯୋଡ଼ି ଆଦିତ୍ୟନାଥ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରିବା ସମୟରେ ପାକିସ୍ତାନ ଏବଂ କେଜରିୱାଲଙ୍କୁ କଷ୍ଟ ହୋଇଥିଲା। ଅପରପକ୍ଷରେ କେଜରିୱାଲଙ୍କ ଦଳ ଆପ୍ ମଧ୍ୟ ରବିବାର ଯୋଗୀ ଆଦିତ୍ୟନାଥଙ୍କୁ ପାଲଟା ସମାଲୋଚନା କରିଛି।

ଆପ୍ ସାଂସଦ ସଞ୍ଜୟ ସିଂହ କହିଛନ୍ତି, ଦିଲ୍ଲୀରେ ଯୋଗୀ ଆଦିତ୍ୟନାଥଙ୍କ ପ୍ରଚାରକୁ ବ୍ୟାନ୍ କରାଯାଉ। ସେ ଏ ସମ୍ପର୍କରେ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଛନ୍ତି। ସେ ଅଭିଯୋଗ କରିଛନ୍ତି, ଆଦିତ୍ୟନାଥ ଆପତ୍ତିଜନକ ଓ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେଉଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଉ।

ଉଲ୍ଲେଖଯୋଗ୍ୟ ଆସନ୍ତା ୮ ତାରିଖରେ ଦିଲ୍ଲୀ ବିଧାନସଭାର ୭୦ ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ। ୧୧ ତାରିଖରେ ଭୋଟ୍ ଗଣତି ହେବ। ଇତିମଧ୍ୟରେ ବିଜେପି, ଆପ୍ ଓ କଂଗ୍ରେସ ପକ୍ଷରୁ ଦିଲ୍ଲୀରେ ପ୍ରଚାର ସରଗରମ ହୋଇଛି। ପ୍ରଚାର ସମୟରେ ଦଳଗୁଡ଼ିକ ପରସ୍ପରକୁ ଆକ୍ଷେପ ଓ ପ୍ରତିଆକ୍ଷେପ କରିବା ଯୋଗୁଁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।