ଦେଓଗାଁ,ଏନ୍ଏନ୍ଏସ୍: ତୁଷୁରା ଥାନା ଅନ୍ତର୍ଗତ ଗୁଡ଼ଭେଳା ରାସ୍ତାର ଧାନଘରା ତେଲ ନଦୀ ବ୍ରିଜ ଦେଇ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଖବରପାଇ ତୁଷୁରା ପୁଲିସ ଚଢ଼ଉ କରିଥିଲା। ଗଞ୍ଜେଇ ନେଇ ଆସୁଥିବା ୩ ଜଣ ଯୁବକକୁ ପୁଲିସ କାବୁ କରି ତାଙ୍କ ଠାରୁ ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇକୁ ତୁଷୁରା ତହସିଲଦାର ରବୀନ୍ଦ୍ର ପଟେଲ ମାଜିଷ୍ଟ୍ରେଟ ଭାବରେ ଆସିଲା ପରେ ଜବତ ଗଞ୍ଜେଇ ମାପ କରାଯାଇଥିଲା। ଯାହାକି ୨୧ କେଜି ଗଞ୍ଜେଇ ହୋଇଥିଲା। ଏକ ବାଇକ ସହ ୩ ଜଣଙ୍କୁ ଗିରଫ କରି ତଦନ୍ତ ଚଳାଇଥିବା ତୁଷୁରା ଥାନା ଅଧିକାରୀ ସଞ୍ଜୀବ ପଧାନ ପ୍ରକାଶ କରିଛନ୍ତି। ବଲାଙ୍ଗିର ଠିକାଦାର ପଡାର ଦଶରଥ ବାଗ, ସଇନ୍ତଲା ଥାନା, ଜଲିଆ ଗାଁର, ଜୌତିର୍ମୟ ହରପାଲ, ଉତ୍ତର ପ୍ରଦେଶ ଇଲ୍ଳାବାଡ, ସିକେନ୍ଦର ବାଗର ସିରୋଜ ଖାଁକୁ ଗିରଫ କରିଥିବା ଜଣାପଡିଛି।
ସୂଚନା ଯୋଗ୍ୟ ଯେ ଗୁଡ଼ଭେଳା ତୁଷୁରା ରାସ୍ତା ଦେଇ ପ୍ରତିଦିନ ଗଞ୍ଜେଇ ଚୋରା ଚାଲାଣ ହେଉଥିବାର ନଜରି ରହିଛି ତଥାପି ମାଫିଆ ମାନେ ପୁଲିସ ଓ ଅବକାରୀ ବିଭାଗକୁ ଚକମା ଦେଇ ବେପାର ଚଳାଇଛନ୍ତି ତୁଷୁରା ରାସ୍ତାରେ। ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଜିଲ୍ଲା ପଟରୁ ଗଞ୍ଜେଇ ନେଇ ତୁଷୁରା ସହରରେ ପ୍ରବେଶ କରୁଛନ୍ତି ମାଫିଆ ମାନେ। ଗୋଟିଏ ସପ୍ତାହ ଭିତରେ ଗୋଟିଏ ରାସ୍ତାରେ ପୁଲିସ ହାବୁଡ଼ରେ ପଡି ଦୁଇ ଦଳ ଗଞ୍ଜେଇ ଚୋରା ବେପାରୀ ଧରାପଡିଥିବାରୁ ତୁଷୁରା ରାସ୍ତାରେ କେମିତି ଗଞ୍ଜେଇ ଚାଲାଣ ହେଉଛି ତାହା ବାରି ହେଉଛି।