ଦେବଗଡ଼,ଏନ୍ଏନ୍ଏସ୍: ଜଣେ ମାଆ ଛେଉଣ୍ଡ ଶିଶୁପୁତ୍ରକୁ ଟିଉସନ କରିବା ଆଳରେ ଶିଶୁର କେୟାରଟେକର ଭାବେ ଥିବା ଜଣେ ମହିଳାଙ୍କୁ ମନାଇ ଶିଶୁପୁତ୍ରଙ୍କ ପିତାଙ୍କୁ ୨ ଲକ୍ଷଟଙ୍କା ବଟି ଦାବି କରିବା ଏବଂ ଏଥିରେ ବ୍ୟତିକ୍ରମ ହେଲେ ଶିଶୁପୁତ୍ରକୁ ଅନ୍ୟ ରାଜ୍ୟରେ ବିକ୍ରି କରିଦେବା ଧମକ ଦେଇ ଜଣେ ଯୁବକ ଗିରଫ ହେବା ଘଟଣା ସହରରେ ମୁଖ୍ୟ ଆଲୋଚନାର ବିଷୟ ହୋଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀରେ ଏକ ଘରୋଇ କମ୍ପାନୀରେ କାମ କରୁଥିବା ଦୟାନିଧି ସାହୁ ଗତକିଛି ବର୍ଷ ପୂର୍ବେ ଦିଲ୍ଲୀରେ କାମ କରୁଥିବା ଦେବଗଡ଼ ପୌରାଞ୍ଚଳର ଲିଲିମା ପ୍ରଧାନ ନାମକ ଜଣେ ମହିଳାଙ୍କ ସହ ପରିଚୟ ହୋଇଥିଲା। ସେହି ସମୟରେ ଦୟାନିଧିଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ଯୋଗୁଁ ତାଙ୍କର ପୁତ୍ର ସନ୍ତାନର ଲାଳନପାଳନ ପାଇଁ ଲିଲିମା ଇଚ୍ଛା ପ୍ରକାଶ କରିବାରୁ ଦୟାନିଧି ଏଥିରେ ରାଜି ହୋଇ ଲିଲିମାଙ୍କୁ ତାଙ୍କ ପୁତ୍ର ସନ୍ତାନକୁ ଜିମା ଦେଇଥିଲେ। ଏଥିସହ ଶିଶୁ ପୁତ୍ରର ଭବିଷ୍ୟତ ଏବଂ ଲାଳନପାଳନ ପାଇଁ କୁଆଡେ ଦେବଗଡ ଷ୍ଟେଟ୍ ବ୍ୟାଙ୍କ ଶାଖାରେ ୩ଲକ୍ଷ ୪୦ହଜାର ଟଙ୍କାର ଏକ ସ୍ଥାୟୀ ଜମା କରିବା ସହ ଏଥିରୁ ମିଳିବାକୁ ଥିବା ସୁଧ ଅର୍ଥରେ ଶିଶୁର ଲାଳନ ପାଳନ ପାଇଁ ଲିଲିମାଙ୍କୁ ଦାୟିତ୍ୱ ଦେଇଥିଲେ। ସେହିପରି ଦୟାନିଧିଙ୍କ ସ୍ୱର୍ଗତା ପତ୍ନୀଙ୍କ ପ୍ରାୟ ସାଢେ ୭ଭରି ଓଜନ ର ସୁନା ଗହଣା ମଧ୍ୟ ଜିମା ଦେଇଥିଲେ। ତେବେ କିଛି ଦିନ ବିତିବା ପରେ ଉକ୍ତ ଶିଶୁକୁ ଟିଉସନ କରିବା ଆଳରେ ଦେବଗଡ ପୌରାଞ୍ଚଳ ଅନ୍ତର୍ଗତ ମହୁଲଢିପା ସାହିର ଆଲୋକ କୁମାର ପ୍ରସାଦ ନାମକ ଜଣେ ଯୁବକ ଲିଲିମାଙ୍କୁ ମନାଇବା ପରେ ତାଙ୍କ ସହ ମିଶି ଦୟାନିଧି ପୁଅ ପାଇଁ ରଖିଥିବା ଜମା ରାଶିକୁ ହଡପ କରିବାପରେ ଆଲୋକ କୁମାର ନିଜକୁ ସାମ୍ବାଦିକ ପରିଚୟ ଦେଇ ଦୟାନିଧିଙ୍କୁ ଫୋନ ଯୋଗେ ୨ ଲକ୍ଷ ଟଙ୍କା ଦାବି କରିବାସହ ଟଙ୍କା ନ ଦେଲେ ଶୁଶୁପୁତ୍ର କୁ ହାଇଦ୍ରାବାଦରେ ବିକ୍ରି କରିବାର ଧମକ ଦେଇଥିଲା। ଏନେଇ ଦୟାନିଧି ଦିଲ୍ଲୀରେ ଥାଇ ମେଲ ଯୋଗେ ନ୍ୟାୟ ପାଇଁ ଜିଲ୍ଲା ପୁଲିସ ନିକଟରେ ଗୁହାରୀ କରିଥିଲେ।
ଗତକାଲି ଦୟାନିଧି ଦେବଗଡ଼ରେ ପହଞ୍ଚିବା ପରେ ନିଜ ଶିଶୁ ପୁତ୍ରକୁ ଦେଖା କରିବା ପାଇଁ ଲିଲିମାଙ୍କ ଘରକୁ ଯାଇଥିବା ବେଳେ ସେଠାରେ ପୂର୍ବରୁ ଥିବା ଆଲୋକ ଟଙ୍କା ଦାବି କରିବାରୁ ଦୟାନିଧି ଏହାର ପ୍ରତିବାଦ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଆଲୋକ ଦୟାନିଧିଙ୍କ ଗୁପ୍ତାଙ୍ଗରେ ଆଘାତ କରିବାରୁ ସେ ଗୁରୁତର ହୋଇଥିଲେ। ଏହାଶୁଣି ପାଖ ପଡିଶା ଲୋକେ ଘଟଣାସ୍ଥଳରେ ପହଞ୍ଚି ଦେବଗଡ ଥାନାକୁ ସୂଚନା ଦେବାରୁ ପିସିଆର ଟିମ ଘଟଣାସ୍ଥଳରେ ପହଞ୍ଚି ଦୟାନିଧିଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଆଲୋକକୁ ଦେବଗଡ ଥାନାକୁ ନେଇ ଅଟକ ରଖିଥିଲେ। ଘଟଣା ସମ୍ପର୍କରେ ଦୟାନିଧି ଲିଖିତ ଅଭିଯୋଗ କରିବା ପରେ ଦେବଗଡ଼ ଥାନା ପୁଲିସ ଉଭୟ ଆଲୋକ ଓ ଲିଲିମାଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ଆଲୋକକୁ ଗିରଫ କରିଛି। ସେହିପରି ଲିଲିମା ଓ ଶିଶୁପୁତ୍ର ସହ ଦୟାନିଧିଙ୍କୁ ଶିଶୁ ମଙ୍ଗଳକମିଟି ନିକଟରେ ଉପସ୍ଥାପନ କରିଛି। ଆସନ୍ତାକାଲି ଗିରଫ ଅଭିଯୁକ୍ତ ଆଲୋକକୁ କୋର୍ଟଚାଳାଣ କରାଯିବ ବୋଲି ଦେବଗଡ ଥାନା ପୁଲିସ ପକ୍ଷରୁ ସୂଚନା ମିଳିଛି। ଏଠାରେ ସୂଚନା ଯୋଗ୍ୟ ଯେ ଅଲୋକ ନାମରେ ପୂର୍ବରୁ ମଧ୍ୟ ଦେବଗଡ ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ରହିଥିବା ବେଳେ ଦୀର୍ଘଦିନ ଧରି ଆଲୋକ ଫେରାର ରହିଥିଲା।