ଚୀନ ସେନାକୁ ଦୃଢ଼ ଜବାବ ଦେଇଥିବା ଯବାନଙ୍କୁ ସମ୍ମାନିତ କଲେ ସେନାମୁଖ୍ୟ ନରବାଣେ

ନୂଆଦିଲ୍ଲୀ, ଏନ୍ଏନ୍ଏସ୍: ଭାରତ ଓ ଚୀନ ସୀମାସ୍ଥିତ ଗଲୱାନ ଘାଟିରେ ଉଭୟ ଦେଶର ସୈନ୍ୟଙ୍କ ମଧ୍ୟରେ ଜୁନ୍ ୧୫ ତାରିଖରେ ହିଂସାତ୍ମକ ଆକ୍ରମଣ ଘଟିଥିଲା। ଫଳରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ। କିନ୍ତୁ ଚୀନ ସେନାକୁ ଭାରତୀୟ ସେନା କଡ଼ା ଜବାବ ଦେବାରେ ସଫଳ ହୋଇଥିଲା। ସେଥିପାଇଁ ଦୁଇ ଦିନିଆ ଲଦାଖ ଗସ୍ତରେ ଥିବା ସେନାମୁଖ୍ୟ ଜେନେରାଲ ମୁକୁନ୍ଦ ନରବଣେ ଫରୱାର୍ଡ ପୋଷ୍ଟରେ ପହଂଚି ସେମାନଙ୍କୁ ସମ୍ମାନିତ କରଛନ୍ତି। ଏହି ଅବସରରେ ସେ ଯବାନଙ୍କ ମନୋବଳ ବଢ଼ାଇବା ସହ ସାହସର ଉଚ୍ଚ ପ୍ରଶଂସା କରିଥିଲେ।

ସୂଚନାଯୋଗ୍ୟ, ନରବାଣେ ଲଦାଖ ଗସ୍ତର ଦ୍ୱିତୀୟ ଦିନରେ ଲେହ ପହଂଚି ତୁରନ୍ତ ସେନା ହସ୍ପିଟାଲ ଯାଇଥିଲେ। ଯେଉଁଠି ଗଲୱାନ ଘାଟିରେ ଚୀନ ସହ ସଂଘର୍ଷ ସମୟରେ ଆହତ ହୋଇଥିବା ସମସ୍ତ ଯବାନ ଚିକିତ୍ସିତ ହେଉଛନ୍ତି। ସେଠାରେ ସମସ୍ତ ଆହତ ଯବାନଙ୍କ ସହ ସେ କଥାବାର୍ତ୍ତା ହୋଇଥିଲେ। ପରେ ଉତ୍ତରସେନା କମାଣ୍ଡର ଲ୍ୟୁଟନାଣ୍ଟ ଜେନେରାଲ ୱାଇ କେ ଯୋଶୀ ଓ କମାଣ୍ଡର ଲ୍ୟୁଟନାଣ୍ଟ ଜେନେରାଲ ହରିନ୍ଦର ସିଂଙ୍କ ସହ ସମ୍ପୂର୍ଣ୍ଣ ସୁରକ୍ଷା ସ୍ଥିତିର ସମୀକ୍ଷା କରିଥିଲେ। ଏଥିସହିତ ଚୀନର କୌଣସି ପ୍ରକାର ଦୁଃସାହସକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ।