ନୂଆଦିଲ୍ଲୀ,ଏଜେନ୍ସି: ସ୍ଥଳସେନା ମୁଖ୍ୟ ଭବେ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ ପଦଭାର ସମ୍ଭାଳିଛନ୍ତି। ଏ ନେଇ ବୁଧବାର ସକାଳୁ ଦିଲ୍ଲୀସ୍ଥିତ ଜାତୀୟ ଯୁଦ୍ଧ ସ୍ମାରକସ୍ଥଳରେ ପହଞ୍ଚି ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ତାଙ୍କୁ ଗାର୍ଡ ଅଫ ଅନର୍ ପ୍ରଦାନ କରାଯାଇଥିବା ବେଳେ ସେ ଆମ ସେନା ଯେକୌଣସି ପ୍ରକାର ବିପଦର ସାମ୍ନା କରିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛନ୍ତି ଓ ସେନାର ଆଧୁନିକୀକରଣ ପ୍ରକ୍ରିୟାକୁ ଜାରି ରଖାଯିବ ବୋଲି କହିଛନ୍ତି।
ମଙ୍ଗଳବାର ଦାୟିତ୍ଵ ଗ୍ରହଣ କରିବା ପରେ ନରୱାଣେ ଆତଙ୍କବାଦକୁ ନେଇ ପାକିସ୍ତାନକୁ କଡ଼ା ଶବ୍ଦରେ ନିନ୍ଦା କରିଥିଲେ। ପାକିସ୍ତାନ ଯେଭଳି ଉସୁକାଉଛି ଏବଂ ଆତଙ୍କବାଦ କାର୍ୟ୍ୟକଳାପକୁ ପ୍ରୋତ୍ସାହିତ କରୁଛି, ତାହାର ଜବାବ ଦେବା ଲାଗି ଭାରତ ନିକଟରେ ଅନେକ ବିକଳ୍ପ ରହିଛି। ଯଦି ପାକିସ୍ତାନ ଆତଙ୍କବାଦକୁ ରୋକିବ ନାହିଁ, ତେବେ ଆମ ନିକଟରେ ଆତଙ୍କୀ ଶିବିରଗୁଡ଼ିକ ଉପରେ ଆକ୍ରମଣ କରିବାର ଅଧିକାର ରହିଛି।