ନୂଆଦିଲ୍ଲୀ,ଏଜେନ୍ସି: କ୍ରମାଗତ ତୃତୀୟ ଦିନ ପାଇଁ ପଞ୍ଜାବରେ ଆନ୍ଦୋଳନରତ କୃଷକମାନେ ରେଳ ଧାରଣା ଅବରୋଧ କରିରଖିବା ଫଳରେ ଗୁରୁବରା ୨୮୦ରୁ ଅଧିକ ଟ୍ରେନ୍ର ଚଳାଚଳ ବାଧାପ୍ରାପ୍ତ ହୋଇଛି ବୋଲି ରେଳବାଇ ଅଧିକାରୀମାନେ କହିଛନ୍ତି। କେନ୍ଦ୍ର ସରକାରଙ୍କ ତିନିଟି କୃଷି ଆଇନ ବିରୋଧରେ ବର୍ଷେ ଧରି ଚାଲିଥିବା ଆନ୍ଦୋଳନରେ ମୃତ କୃଷକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଏବଂ ସମ୍ପୂର୍ଣ୍ଣ ଋଣ ଛାଡ଼ ଦାବିରେ କିଶାନ୍ ମଜଦୁର ସଂଘର୍ଷ ସମିତି ବ୍ୟାନର୍ରେ କୃଷକମାନେ ପଞ୍ଜାବର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଚଳାଇଛନ୍ତି। ସେହିପରି ଆନ୍ଦୋଳନ ସମୟରେ ଘଟିଥିବା ହିଂସାକାଣ୍ଡରେ ସେମାନଙ୍କ ବିରୋଧରେ ଲାଗିଥିବା ବିଭିନ୍ନ ଅପରାଧିକ ମାମଲାକୁ ପ୍ରତ୍ୟାହାର କରିନେବା ପାଇଁ କୃଷକମାନେ ସରକାରଙ୍କୁ କହିଛନ୍ତି।
ରାଜ୍ୟରେ ଏହି କୃଷକ ଆନ୍ଦୋଳନ ଯୋଗୁଁ ଫିରୋଜପୁର ଡିଭିଜନ୍ରେ ଗତ ୨୪ ଘଣ୍ଟା ମଧ୍ୟରେ ୨୮୦ରୁ ଅଧିକ ଟ୍ରେନ୍ର ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଉତ୍ତର ରେଳବାଇର ସିପିଆର୍ଓ ନୀରଜ ଶର୍ମା ଏକ ବିବୃତିରେ କହିଛନ୍ତି। ସେହିପରି ଗତ ଚାରିଦିନରେ ୪୦୦ରୁ ଅଧିକ ଟ୍ରେନ୍ର ଚଳାଚଳ ବାଧାପ୍ରାପ୍ତ ହୋଇଛି ବୋଲି ସେ ଜଣାଇଛନ୍ତି। ଆନ୍ଦୋଳନ ଦୃଷ୍ଟିରୁ କେତେକ ଟ୍ରେନ୍ର ଗତିପଥ ପରିବର୍ତ୍ତନ କରାଯାଇଥିବା ବେଳେ ଅନ୍ୟ କେତେକର ଚଳାଚଳ ବାତିଲ କରାଯାଇଛି। ଏ ସମ୍ପର୍କରେ ଯାତ୍ରୀଙ୍କୁ ସୂଚନା ଦେବା ନିମନ୍ତେ ଡିଭିଜନ୍ର ସମସ୍ତ ଷ୍ଟେସନ୍ରେ ହେଲ୍ପ ଡେସ୍କ ସ୍ଥାପନ କରାଯାଇଛି ବୋଲି ଡିଆର୍ଏମ୍ ସୀମା ଶର୍ମା ବୁଧବାର କହିଥିଲେ।
ଗତ ସୋମବାରଠାରୁ ଆନ୍ଦୋଳନରତ କୃଷକମାନେ ଫିରୋଜପୁର, ତରନ୍ ତାରନ୍, ଅମୃତସର ଏବଂ ହୋସିଆରପୁରରେ ରେଳ ଲାଇନ୍ ଉପରେ ବସି ରହିଥିଲେ। ବୁଧବାର ଏହି ଆନ୍ଦୋଳନ ମୋଗା ଓ ଫଜିଲ୍କା ଷ୍ଟେସନ୍କୁ ମଧ୍ୟ ସମ୍ପ୍ରସାରିତ ହୋଇଥିଲା। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନକାରୀ ରେଳ ଲାଇନ୍ରୁ ଉଠିବେ ନାହିଁ ବୋଲି କୃଷକ ସଂଗଠନ ନେତା ସତ୍ନାମ ସିଂହ ପନ୍ନୁ କହିଛନ୍ତି।