ଆଇପିଏଲ ଉଦଘାଟନୀ ଉତ୍ସବରେ ଅରିଜିତ, ତମନ୍ନା ଓ ରଶ୍ମିକାଙ୍କ ଜଲୱା

ଗୁଜରାଟ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ର ଶୁଭାରମ୍ଭ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ହୋଇଯାଇଛି । ଏହି ଅବସରରେ ସର୍ବପ୍ରଥମେ ଲୋକପ୍ରିୟ ଗାୟକ ଅରିଜିତ ସିଂହ ନିଜ ଗୀତରେ ଦର୍ଶକଙ୍କୁ ଝୁମାଇଥିଲେ । ଅରଜିତ ‘ରାଜି’ ଫିଲ୍ମର ‘ଏ ବତନ ମେରେ ବତନ’ ଗୀତରୁ ଆରମ୍ଭ କରି ଲୋହରା ଦୋ ‘କେଶରିଆ ତେରା ଇସ୍କ ହୈ ପିୟା’ ଗୀତରେ ଦର୍ଶକଙ୍କ ହୃଦୟ ଜିଣିଥିଲେ । ଦର୍ଶକଙ୍କ ସହ କ୍ରିକେଟର ମଧ୍ୟ ଅରିଜିତଙ୍କ ଗୀତରେ ଝୁମିଥିଲେ ।

ଅରଜିତ ସିଂହଙ୍କ ପରେ ଅଭିନେତ୍ରୀ ତମନ୍ନା ଭାଟ୍ଟିଆ ଷ୍ଟେଜରେ ଏଣ୍ଟ୍ରି ମାରିଥିଲେ । ତମନ୍ନା ‘ପୁଷ୍ପା ଚଳଚ୍ଚିତ୍ର’ର ସୁପରହିଟ ଗୀତ ‘ଔ ଅନ୍ତାବା ଔ ଔ ଅନ୍ତାବା’ ଗୀତରେ ଡ୍ୟାନ୍ସ କରିଥିଲେ । ତମନ୍ନାଙ୍କ ପରେ ନ୍ୟାସନାଲ କ୍ରସ୍ ରଶ୍ମିକା ମନ୍ଦାନା ‘ସାମି ସାମି’ ଓ ‘ନାଟୁ ନାଟୁ’ ମାଧ୍ୟମରେ ଷ୍ଟେଜରେ ନିଆଁ ଲଗାଇଥିଲେ । ଉଦଘାଟନୀ ଉତ୍ସବ ପରେ ଚେନ୍ନାଇ ସୁପରକିଙ୍ଗସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବାକୁ ଥିବା ମ୍ୟାଚ ଦେଖିବା ପାଇଁ ଷ୍ଟାଡିୟମରେ ଖଚାଖଚ ଭିଡ଼ ଜମିଛି ।