ଅପରାଜିତା ଓ ଅଶୋକ କଥା କଟାକଟି, ସମର୍ଥକଙ୍କ ନାରାବାଜି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଗକୁ  ରାଜ୍ୟରେ ପୌର ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଭୁବନେଶ୍ୱର ମହାନଗର ନିଗମ ପାଇଁ ମଧ୍ୟ ମତଦାନ ହେବ।  ଏହାକୁ ଦୃଷ୍ଟିରେ ରଖି ଏବେଠାରୁ ରାଜନୀତି ସରଗରମ ହେଲାଣି। ବିଶେଷ କରି ଶ୍ରେୟ ନେବାକୁ ବର୍ତ୍ତମାନ ପରସ୍ପର ପ୍ରତିଯୋଗିତାରେ ଲିପ୍ତ ରାଜନେତା ଓ ସେମାନଙ୍କ ଦଳ। ଯାହାର ଜ୍ୱଳନ୍ତ ଉଦାହରଣ ‘ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ’ ଉଦଘାଟନ କାର୍ଯ୍ୟକ୍ରମ ବେଳେ ଦେଖିବାକୁ ମିଳିଛି। ଯେଉଁଠିକି ମଞ୍ଚ ଉପରେ କଥା କଟାକଟି ହୋଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ମନ୍ତ୍ରୀ ଅଶୋକ ପଣ୍ଡା।

ଆଇଓସିଏଲ୍ ସିଏସଆର ପାଣ୍ଠିରୁ ୭୦ଲକ୍ଷ ଟଙ୍କା ବିନିମୟରେ ବିନ୍ଦୁସାଗରର ଜଳକୁ ବୈଜ୍ଞାନିକ ପଦ୍ଧତିରେ ସ୍ୱଚ୍ଛ କରାଯିବ। ଶନିବାର ଏହି ପ୍ରକଳ୍ପକୁ ଭିଡିଓ କନଫରେନ୍ସି ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟିତ କରିଥିଲେ । ମଞ୍ଚାସୀନ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ଅନ୍ୟମାନେ। ପ୍ରଥମେ ଅପରାଜିତାଙ୍କୁ କହିବାର ସୁଯୋଗ ମିଳିଥିବା ବେଳେ ସେ କହୁକହୁ ବହୁ କଥା କହିଦେଲେ। ପୂର୍ବରୁ ଏହି ଜଳାଶୟ ଲାଗି ବହୁ ଅର୍ଥ ମଞ୍ଜୁର ହୋଇଥିବାବେଳେ କିଛି ଆଖିଦୃଶିଆ କାମ ହୋଇନଥିବା ସାଂସଦ ଅଭିଯୋଗ କରିଥିଲେ। ଏପରିକି କେବଳ ବିନ୍ଦୁସାଗର ନୁହେଁ, ବରଂ ସ୍ଥାନୀୟ ଆଖପାଖର ବହୁ ପୁଷ୍କରିଣୀ ଓ ଜଳାଶୟର ସମାନ ଅବସ୍ଥା ବୋଲି ସେ କହିଥିଲେ। ଏହାସହ ବିନ୍ଦୁସାଗର ଜଳାଶୟ ସ୍ୱଚ୍ଛତାର କାର୍ଯ୍ୟ ୪ମାସରେ ଶେଷ ହେବ। ସବୁ କାର୍ଯ୍ୟର ନିର୍ଦ୍ଦିଷ୍ଟ ସମୟସୀମା ରହିବା ଦରକାର ଯେପରି ଦେଖିଲେ ହିଁ ‘ବିକାଶ’କୁ ବିଶ୍ୱାସ କରିହେବ ବୋଲି ଅପରାଜିତା କହିଥିଲେ । ତେବେ କଥାଟି ମନ୍ତ୍ରୀ ଶ୍ରୀ ପଣ୍ଡାକୁ ପସନ୍ଦ ଆସିଲା ନାହିଁ। ସେ ସ୍ଥାନୀୟ ବିଧାୟକ ହୋଇଥିବାରୁ ସାଂସଦଙ୍କ ଅଭିଯୋଗ ତାଙ୍କୁ ବାଣ ମାରିବା ପରି ଲାଗିଲା। କହିବାର ପାଳି ଆସିବା ପରେ ସାଂସଦଙ୍କ ଅଭିଯୋଗର ଉତ୍ତରରେ ମନ୍ତ୍ରୀ ଅଶୋକ ପଣ୍ଡା ରାଜ୍ୟ ସରକାର ଏକାମ୍ର କ୍ଷେତ୍ରର ଉନ୍ନତି ପାଇଁ ନେଇଥିବା ବିଭିନ୍ନ ପଦକ୍ଷେପ ତଥା ଖର୍ଚ୍ଚ କରିଥିବା ଅନୁଦାନର ଲମ୍ବା ତାଲିକା ରଖିଥିଲେ।

ସେ କହିଥିଲେ ଯେ ୫୦୦ କୋଟି ଟଙ୍କା ବିନିମୟରେ ଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ୬ କୋଟି ଦେଇଥିଲେ ପର୍ଯ୍ୟଟନ ବିଭାଗରୁ। ୩ କୋଟିର ପାଇପ ଭୁଆଶୁଣି ପର୍ଯ୍ୟନ୍ତ ଆସି ପହଞ୍ଚିଛି। ଦୟା ନଦୀରୁ ପାଣି ପଡ଼ିବ। ଏଣୁ ୪ ମାସରେ ନୁହେଁ, ୪ ସପ୍ତାହରେ କାର୍ଯ୍ୟ ଶେଷହେବ। କେଦାରଗୌରୀରେ କଲଭର୍ଟ ୯୩ ଲକ୍ଷ ଟଙ୍କାରେ ହୋଇଛି। ଏହା ବି ସାଂସଦ ଜାଣିବା ଉଚିତ। ଧଉଳିଠାରୁ ଆରମ୍ଭ କରି ଖଣ୍ଡଗିରି ପର୍ଯ୍ୟନ୍ତ କେଉଁ କେଉଁ କାମ ରାଜ୍ୟ ସରକାର ହାତକୁ ନେଇଛନ୍ତି ସବୁ ବଖାଣିଥିଲେ ଶ୍ରୀ ପଣ୍ଡା।