ଧାରାବାହିକ ‘ପ୍ରତିଜ୍ଞା ସଜ୍ଜନ ସିଂହ’ର ଲୋକପ୍ରିୟ ଅଭିନେତା ଅନୁପମ ଶ୍ୟାମଙ୍କ ପରଲୋକ

ନୂଆଦିଲ୍ଲୀ,ଏଜେନ୍ସି: ଛୋଟ ଓ ପରଦାରେ ଲୋକପ୍ରିୟ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ଆକର୍ଷିତ କରିପାରୁଥିବା ଅଭିନେତା ଅନୁପମ ଶ୍ୟାମ ଓଝାଙ୍କ ରବିବାର ପରଲୋକ ହୋଇଯାଇଛି। ୬୩ ବର୍ଷ ବୟସର ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ଶରୀରର ଏକାଧିକ ଅଙ୍ଗର ଚଳପ୍ରଚଳ ବନ୍ଦ ହୋଇଯାଇଥିଲା। ଧାରାବାହିକ ‘ପ୍ରତିଜ୍ଞା ସଜ୍ଜନ ସିଂହ’ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଅନୁପମ ଶ୍ୟାମ ଦର୍ଶକଙ୍କ ନିକଟରେ ବେଶ ଲୋକପ୍ରିୟତା ଅର୍ଜନ କରିଥିଲେ। ଅନୁପମ ଗତବର୍ଷ ଠାରୁ କିଡ଼ନୀ ଜନିତ ସମସ୍ୟାର ସମ୍ମୁଖୀନ ହୋଇଥିଲେ।

ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ପରେ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିଲା। ଅନୁପମ ଶ୍ୟାମଙ୍କୁ ଗତବର୍ଷ ମାର୍ଚ୍ଚ ମାସଠାରୁ କିଡନୀ ସମସ୍ୟା ଯୋଗୁଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଭାଇ ସାହାଯ୍ୟ ପାଇଁ ଅପିଲ କରିଥିଲେ। ହସ୍ପିଟାଲର ବିଲ ପୈଠ କରିବାକୁ ହାତରେ ଟଙ୍କା ନଥିଲା।

ଅନୁପମଙ୍କ ସ୍ୱାସ୍ଥ୍ୟ ମଝିରେ ଠିକ ହୋଇଯିବା ପରେ ନିୟମିତ ଭାବରେ ଡାଏଲିସିସ କରାଯାଉଥିଲା। ଚଳିତ ବର୍ଷ ଟିଭି ଧାରାବାହିକ ‘ମନ କୀ ଆୱାଜ ପ୍ରତିଜ୍ଞା’ର ସିଜନ-୨ ଶୁଭାରମ୍ଭ ହେବା ପରେ ଅନୁପମ ପୁଣି ଅଭିନୟ ଜଗତକୁ ଫେରିଥିଲେ। ଶୁଟିଂ ଚାଲିଥିବା ବେଳେ ସପ୍ତାହକୁ ୩ ଥର ଡାଏଲିସିସ ପାଇଁ ହସ୍ପିଟାଲକୁ ଯାଉଥିଲେ।