ଓସଲୋ(ନରୱେ),ଏଜେନ୍ସି: ରେସଲିଂରେ ଭାରତ ପାଇଁ ଇତିହାସ ସୃଷ୍ଟି କରିଛନ୍ତି ଅଂଶୁ ମଲିକ। ନରୱେରେ ଚାଲିଥିବା ରେସଲିଂ ବିଶ୍ୱ ଚାମ୍ପିଅନ୍ସିପ୍ରେ ଅଂଶୁ ଫାଇନାଲରେ ପ୍ରବେଶ କରିଛନ୍ତି। ଏଥିସହ ସେ ପ୍ରଥମ ଭାରତୀୟ ମହିଳା ରେସଲର ଭାବେ ଏପରି କୀର୍ତ୍ତିମାନ ସ୍ଥାପନ କରିବାକୁ ସକ୍ଷମ ହୋଇଛନ୍ତି।
ଏହାପୂର୍ବରୁ କୌଣସି ଭାରତୀୟ ମହିଳା କେବେ ହେଲେ ରେସଲିଂ ବିଶ୍ୱ ଚାମ୍ପିଅନ୍ସିପ୍ର ଫାଇନାଲରେ ପ୍ରବେଶ କରି ନଥିଲେ। ଅଂଶୁ ମଲିକ ୫୭ କେଜି ଓଜନ ବର୍ଗରେ ଜୁନିୟର ୟୁରୋପୀୟ ଚାମ୍ପିୟନ ସୋଲମିଆ ଭିଙ୍କୁ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି।
ଏସିଆନ ଚାମ୍ପିୟନ ୧୯ ବର୍ଷୀୟ ଅଂଶୁ ସେମିଫାଇନାଲ ମୁକାବିଲାର ଆରମ୍ଭରୁ ନିଜର ଦବଦବା ଦେଖାଇଥିଲେ। ସେ ଟେକ୍ନିକାଲ ପଏଣ୍ଟ ବଳରେ ନିଜ ନାଁକୁ ଇତିହାସ ପୃଷ୍ଠାରେ ଲେଖିବାକୁ ସକ୍ଷମ ହୋଇଛନ୍ତି। ଅର୍ଥାତ ସେ ସୋଲମିଆଙ୍କୁ ଏକତରଫା ଭାବେ ପରାସ୍ତ କରିଛନ୍ତି। ସୋଲମିଆ ଜୁନିୟର ଚାମ୍ପିୟନ ହୋଇଥିଲେ ମଧ୍ୟ ଅଂଶଙ୍କୁ ଜବାବ ଦେବା ପାଇଁ କୌଣସି ସୁଯୋଗ ପାଇ ନଥିଲେ।