ଅର୍ଥ ହେରଫେର୍ ମାମଲା: ସୁପ୍ରିମକୋର୍ଟରେ ହାଜର ହେଲେ ଅନିଲ ଦେଶମୁଖ

ମୁମ୍ବାଇ,ଏଜେନ୍ସି: ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ଅନିଲ ଦେଶମୁଖ। ମହାରାଷ୍ଟ୍ର ପୂର୍ବ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଅର୍ଥ ହେରଫେର୍ ମାମଲାରେ ସୁରକ୍ଷା ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏହି ମାମଲାରେ ପୂର୍ବରୁ ଇଡି ତାଙ୍କୁ ୩ ଥର ସମନ ଜାରି କରିସାରିଛି। ସୁପ୍ରିମକୋର୍ଟରେ ଆବେଦନ କରି ଦେଶମୁଖ କହିଛନ୍ତି ଯେ ତାଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଉ।

ଆଜି (ସୋମବାର) ତାଙ୍କୁ ଦକ୍ଷିଣ ମୁମ୍ବାଇ ସ୍ଥିତ କାର୍ଯ୍ୟାଳୟରେ ପଚରାଉଚରା ପାଇଁ ହାଜର ହେବାକୁ ଇଡି ଡକାଇଛି। ଆସନ୍ତାକାଲି (ଜୁଲାଇ ୬)ରେ ଦେଶମୁଖଙ୍କ ପୁଅ ରିଷିକେଶ ଦେଶମୁଖଙ୍କୁ ମଧ୍ୟ ହାଜର ହେବାକୁ ସମନ ଜାରି କରିଛି ଇଡି।

ପ୍ରକାଶ ଥାଉକି, ମୁମ୍ବାଇର ପୂର୍ବତନ ପୁଲିସ କମିସନର ପରମବୀର ସିଂହ ପ୍ରଥମେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖି ଅନିଲ ଦେଶମୁଖଙ୍କ ବିରୋଧରେ ଟଙ୍କା ଆଦାୟ ଅଭିଯୋଗ ଆଣିଥିଲେ। ସଚିନ ବାଜେଙ୍କୁ ମାସିକ ଶହେ କୋଟି ବଟି ଆଦାୟ କରିବା ପାଇଁ ଦେଶମୁଖ କହିଥିବା ଚିଠି ଲେଖିଥିଲେ ପରମବୀର। ଏହି ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଓ ଇଡ଼ି ତଦନ୍ତ କରୁଛି।