ପୁଣି ଚୀନ୍‌ରେ ଫୁଟିଲା କରୋନା ବୋମା

ବେଜିଂ,ଏଜେନ୍ସି: ୨୦୧୯ ମସିହାରେ ଯେଉଁଠାରୁ କରୋନା ଭାଇରାସ ବ୍ୟାପିଥିଲା, ସେଠାରେ ବର୍ତ୍ତମାନ ସୁଦ୍ଧା ଭାଇରସ ଉପରେ କୌଣସି ନିୟନ୍ତ୍ରଣ ହୋଇ ପାରି ନାହି । ଏବେ ବି ଅନେକ ସହରରେ ଲକ୍‌ଡାଉନ୍ ଭଳି ସ୍ଥିତି ଉପୁଜୁଛି । ଚୀନ୍ ମଙ୍ଗଳବାର ଅନେକ ପାର୍କ , ସପିଂ ମଲ ଓ ସଂଗ୍ରହାଳକୁ ବନ୍ଦ କରି ଦେଇଛି । ଅନେକ ଚାଇନା ସହର କୋଭିଡ-୧୯ର ବଡ଼ ମାମଲାକୁ ଦେଖି ବଡ଼ ସ୍ତରରେ ଟେଷ୍ଟିଂ ପୁଣି ଥରେ ଆରମ୍ଭ କରିଛି । ବଢ଼ୁଥିବା କରୋନା ମାମଲାରେ ଚାଇନା ଅର୍ଥ ବ୍ୟବସ୍ଥା ବିଷୟରେ ଚିନ୍ତା ବଢ଼ାଇ ଦେଇଛି । ଚୀନ୍ ସୋମବାର ରାଷ୍ଟ୍ରୀୟ ସ୍ତରରେ ୨୮,୧୨୭ଟି ନୂଆ ସ୍ଥାନୀୟ କରୋନା ମାମଲାର ସୂଚନା ଦେଇଛି । ଏହି ସଂଖ୍ୟା ଅପ୍ରେଲରେ କରୋନା ପିକ୍‌ର ପାଖାପାଖି । ଏଥିରୁ ଅଧା ମାମଲା ଦକ୍ଷିଣୀ ସହର ଗ୍ୱାଙ୍ଗଝୁ ଓ ଚୋଙ୍ଗକିଙ୍ଗ୍‌ରୁ ଆସିଛି । ଗ୍ୱାଙ୍ଗଡୋଙ୍ଗ ପ୍ରାନ୍ତ ଓ ଚୋଙ୍ଗକିଙ୍ଗ୍ ସହରରେ ୧୬,୦୦୦ ଓ ୬,୩୦୦ରୁ ଅଧିକ ମାମଲା ରେକର୍ଡ ହୋଇଛି । ବେଜିଂରେ ମଧ୍ୟ କରୋନା ମାମଲା ଦ୍ରୁତ ଗତିରେ ବଢ଼ି ଚାଲିଛି । ରବିବାର ରାଜଧାନୀରେ ୬୨୧ ଟି ମାମଲା ରେକର୍ଡ କରାଯାଇ ଥିଲା ।

ମଙ୍ଗଳବାରକୁ ଏହି ସଂଖ୍ୟା ଦୁଇ ଗୁଣାରୁ ଅଧିକ ୧,୪୩୮ ହୋଇଯାଇଛି । ରାଜଧାନୀ ବେଜିଂରେ , କରୋନା ମାମଲା ପ୍ରତିଦିନ ନୂଆ ନୂଆ ଉଚ୍ଚତାରେ ପହଞ୍ଚୁଛି । ସହରର ସରକାର ତାଜା ମାମଲାକୁ ଦେଖି ଲୋକଙ୍କୁ ଘର ଭିତରେ ରହିବାକୁ ବାଧ୍ୟ କରୁଛନ୍ତି । ୱିକେଣ୍ଡରେ କରୋନାରେ ୩ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ଏହି ସଂଖ୍ୟା ଆହୁରି ବଢ଼ି ଯାଇଛି , ଯେବେ ମଙ୍ଗଳବାର ଆଉ ଦୁଇ ଜଣ ଲୋକ କରୋନାରେ ନିଜର ଜୀବନ ଦେଇଛନ୍ତି । ମଇ ପରେ ଚୀନ୍‌ର ପ୍ରଥମ ମୃତ୍ୟୁ ସାମ୍ନାକୁ ଆସିଛି । କରୋନାର ତାଜା ଲହର ଏମିତି ସମୟରେ ବ୍ୟାପୁଛି , ଯେବେ ଚୀନ୍ ନିଜର ଜିରୋ କୋଭିଡ୍ ନୀତିରେ ରହିଛି ।

ରିପୋର୍ଟ ମୁତାବିକ, ଚୀନ ଅନେକ ବଡ଼ ବଡ଼ ସହରରେ ପର୍ଯ୍ୟଟନ ସ୍ଥଳୀ, ଜିମ୍ ଓ ପାର୍କ ବନ୍ଦ କରି ଦେଇଛନ୍ତି । ବଡ଼ ସ୍ତରରେ ହେବାକୁ ଥିବା କାର୍ଯ୍ୟକ୍ରମ ଯେମିତି କି ସଂଗୀତ କାର୍ଯ୍ୟକ୍ରମ ମଧ୍ୟ ରଦ୍ଦ କରି ଦିଆଯାଇଛି । ସଂଶୋଧିତ ନୀତି-ନିର୍ଦ୍ଦେଶ ପରେ ମଧ୍ୟ, ଚୀନ୍ ନିଜର ଦୃଢ଼ କୋଭିଡ୍ ପ୍ରତିବନ୍ଧକ ସହ କରୋନାର ବଡ଼ ଆଡ୍ଡା ପାଲଟି ଯାଇଛି । ଚୀନ୍ କରୋନା ଯୋଗୁଁ ନିଜର ସୀମା ଗୁଡ଼ିକୁ ପାଖାପାଖି ୩ ବର୍ଷ ଯାଏ ବନ୍ଦ କରିରଖି ଥିଲା । ବେଜିଂ ଓ ଅନ୍ୟ ସହର ଗୁଡ଼ିକରେ କଡ଼ା ପଦକ୍ଷେପ , ଲକ୍‌ଡାଉନ୍‌ରୁ ରକ୍ଷା ପାଇବାକୁ ଚେଷ୍ଟା ଚାଲିଛି । ହେଲେ ଚଳିତ ବର୍ଷ କରୋନା ମାମଲା ଓ ପୁଣି ଲକ୍‌ଡାଉନ୍ ସାଙ୍ଘାଇକୁ ପଙ୍ଗୁ କରିଦେଇ ଥିଲା । ଅଥ ର୍ବ୍ୟବସ୍ଥାରେ ନିବେଶକଙ୍କ ଚିନ୍ତା ପୁଣି ଥରେ ବଢ଼ାଇ ଦେଇଛି ।