ଚୀନ୍ ଓ ପାକିସ୍ତାନକୁ ପ୍ରୋତ୍ସାହିତ କରୁଛନ୍ତି ରାହୁଲ : ଶାହ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଟାକ୍ଷ କରିଥିବା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଦୃଢ ଯବାବ ଦେଇଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ। ଶାହ କହିଛନ୍ତି ଯେ, ସେ ସଙ୍କୀର୍ଣ୍ଣ ମନୋଭାବ ନେଇ ରାଜନୀତି କରୁଛନ୍ତି। ଆମେ ଭାରତ ବିରୋଧୀ ପ୍ରଚାରକୁ ସମ୍ଭାଳିବାକୁ ସମ୍ପୂର୍ଣ୍ଣ ଭାବେ ସକ୍ଷମ ଅଛୁ। ତେବେ କଠିନ ପରିସ୍ଥିତିରେ ଦେଶର ଏକ ବଡ଼ ରାଜନୈତିକ ଦଳର ପୂର୍ବତନ ଅଧ୍ୟକ୍ଷ ଏଭଳି ମନ୍ତବ୍ୟ ଦେବା ଏହି ନେତାଙ୍କ ହୀନ ମନୋଭାବକୁ ଦର୍ଶାଉଛି । ସୂଚନାଯୋଗ୍ୟ, ଜୁନ୍ ୧୫ରେ ଲଦାଖର ଗଲୱାନ ଘାଟିରେ ଭାରତ ଏବଂ ଚୀନ୍ ଯବାନଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହେବା ପରଠାରୁ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ କେନ୍ଦ୍ରକୁ ସମାଲୋଚନା କରିଚାଲିଛନ୍ତି। ଏହି ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ସରେଣ୍ଡର ମୋଦୀ’ ବୋଲି ଟ୍ୱିଟ୍ କରି ରାହୁଲ କଟାକ୍ଷ ମଧ୍ୟ କରିଛନ୍ତି।

ରାହୁଲ ନରେନ୍ଦ୍ର ମୋଦୀଙ୍କୁ ‘ସରେଣ୍ଡର ମୋଦୀ’ କହିବା ପ୍ରସଙ୍ଗରେ ଶାହ କହିଛନ୍ତି ଯେ, ରାହୁଲଙ୍କ ଏହି ହାଜଟ୍ୟାଗ ଯୁକ୍ତ ଟ୍ୱିଟ ପାକିସ୍ତାନ ଏବଂ ଚୀନକୁ  ପ୍ରୋତ୍ସାହିତ କରୁଛି। ତେଣୁ ରାହୁଲ ଏବଂ ତାଙ୍କ ଦଳ ଚୀନ୍ ନିକଟରେ ଆତ୍ମସମର୍ପଣ କରୁଛନ୍ତି। ତେବେ ଦେଶର ଏଭଳି ପରିସ୍ଥିତିରେ ରାହୁଲଙ୍କ ହୀନ ରାଜନୀତି ନିନ୍ଦନୀୟ। ଯଦି କଂଗ୍ରେସ ଏ ସମ୍ପର୍କରେ ଚର୍ଚ୍ଚା କରିବାକୁ ଚାହୁଁଛି, ସରକାର ସଂସଦରେ ଏନେଇ ଆଲୋଚନା କରିବେ। କେବଳ ଚୀନ ଏବଂ ଭାରତ ସମ୍ପର୍କିତ ଚର୍ଚ୍ଚା ନୁହେଁ, ୧୯୬୨ରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ସମସ୍ୟା ସମ୍ପର୍କରେ ଚର୍ଚ୍ଚା କରାଯିବ ବୋଲି ଶାହ କହିଛନ୍ତି।