ଟିଏମସିକୁ ବଡ଼ ଝଟକା: ପଦ୍ମ ଧରିଲେ ୧୦ ବିଧାୟକ, ଜଣେ ସାଂସଦ ଓ ଜଣେ ମନ୍ତ୍ରୀ

କୋଲକାତା,ଏଜେନ୍ସି: ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସକୁ ଆଉ ଏକ ଝଟକା ଲାଗିଛି। ଆଜି ମେଦିନାପୁର ରାଲିରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଟିଏମସିରୁ ବହୁ ସମୟ ଧରି ଅସନ୍ତୁଷ୍ଟ ଥିବା ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ବିଜେପିରେ ସାମିଲ ହୋଇଛନ୍ତି। ସେହିପରି ଟିଏମସି ସାଂସଦ ସୁନୀଲ ମଣ୍ଡଳଙ୍କ ସହିତ ଟିଏମସି ଓ କଂଗ୍ରେସର ୧୦ ଜଣ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି।

ରାଲିରେ ଶ୍ରୀ ଶାହା ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, ତୃଣମୂଳ କଂଗ୍ରେସର କିଛି କୁହାଳିଆ ନେତା କହୁଥିଲେ ଯେ ବଙ୍ଗାଲରେ ତୃଣମୂଳକୁ କେହି ହରାଇ ପାରିବେନି। ଏପରିକି ସାଂସଦ ନିର୍ବାଚନରେ କହୁଥିଲେ କି ବିଜେପି ଖାତା ଖୋଲିପାରିବ ନି। ମୁଁ ତାଙ୍କୁ ମନେପକାଇ ଦେବାକୁ ଚାହେଁ ଯେ ଦିଲ୍ଲୀପ ଘୋଷଙ୍କ ଅଧ୍ୟକ୍ଷତା ଓ ପ୍ରଧାନମନ୍ତ୍ରୀ ମୋଦୀ ଜୀଙ୍କ ନେତୃତ୍ୱରେ ବିଜେପି ବଙ୍ଗାଲରେ ୧୮ଟି ସିଟରେ ବିଜୟ ହୋଇଛି। ଏଥିସହିତ ଶ୍ରୀ ଶାହା କହିଛନ୍ତି ଯେ, ଆଗାମୀ ନିର୍ବାଚନ ବେଳକୁ ମମତା ପୁରା ଏକୁଟିଆ ହୋଇଯିବେ।

ଶାହା ମମତାଙ୍କ ଉପରେ ଅଭିଯୋଗ କରିଛନ୍ତି କି, ଆଜି ଯେଉଁ ନେତା ଓ ମନ୍ତ୍ରୀ ମାନେ ବିଜେପିରେ ସାମିଲ ହୋଇଛନ୍ତି, ଦିନେ ସେମାନେ ମା, ମାଟି ଓ ମାନୁଷ ନାରା ନେଇ ଘରୁ ଆସିଥିଲେ। କିନ୍ତୁ ଦିଦି ଏହି ନାରାକୁ ତୃପ୍ତୀ, ଆତ୍ମୀୟତା ଓ କଥାବାର୍ତ୍ତାରେ ପରିବର୍ତ୍ତନ କରିଦେଇଛନ୍ତି। ସବୁ ରାଜନୈତିକ ଦଳରୁ ଭଲ ଭଲ ନେତା ବିଜେପିରେ ସାମିଲ ହେଉଛନ୍ତି। ଏଥିସହିତ ଆଗାମୀ ନିର୍ବାଚନରେ ୨୦୦ ସିଟ ହାସଲ କରି ବିଜେପି ସରକାର ଗଢ଼ିବ ବୋଲି ଶ୍ରୀ ଶାହା ଦାବି କରିଛନ୍ତି।