ଡବ୍ଲ୍ୟୁଏଚଓରୁ ଓହରିଗଲା ଆମେରିକା

ୱାଶିଂଟନ୍, ଏଜେନ୍ସି :  ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ କରୋନା ସଂକ୍ରମଣ ସାଙ୍ଘାତିକ ଭାବେ ବ୍ୟାପିବାରେ ଲାଗିଛି। ମାତ୍ର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଏ ଦିଗରେ ବିହିତ ପଦକ୍ଷେପ ନନେଇ ବରଂ କରୋନାର ଉତ୍ପତ୍ତିସ୍ଥଳ ଚୀନ୍ ଦ୍ୱାରା ପରିଚାଳିତ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱରେ କରୋନା ସଂକ୍ରମଣ ଗୁରୁତର ହେବା କାରଣରୁ ଚୀନକୁ  ଦାୟୀ କରିଆସୁଛନ୍ତି। ଡବ୍ଲ୍ୟୁଏଚଓ ଚୀନର ପକ୍ଷ ନେଉଥିବାରୁ ଏଥିରେ ଟ୍ରମ୍ପ କ୍ଷୁବ୍ଧ ହୋଇ ଗତ ଏପ୍ରିଲ ୧୪ ତାରିଖରେ ଡବ୍ଲ୍ୟୁଏଚଓକୁ ଆମେରିକା ଯୋଗାଇ ଦେଉଥିବା ବାର୍ଷିକ ପାଣ୍ଠି ୫୦ କୋଟି ଡଲାର ଦେବା ବନ୍ଦ କରିଦେଇଥିଲେ। ବୁଧବାର ରାଷ୍ଟ୍ରପତି ଟ୍ରମ୍ପ ଡବ୍ଲ୍ୟୁଏଚଓରୁ ଆମେରିକା ଆନୁଷ୍ଠାନିକ ଭାବେ ଓହରି ଯାଇଥିବା ସେଠାର ପାର୍ଲାମେଣ୍ଟକୁ ଜଣାଇଛନ୍ତି। ବୈଦେଶିକ ବ୍ୟାପକ ସମ୍ପର୍କିତ ସିନେଟ୍ କମିଟି ସଦସ୍ୟ ବବ୍ ମେନେଣ୍ଡେଜ୍ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।