ଆମ୍ବୁଲାନ୍ସ-ବାଇକ ଧକ୍କା, ଜଣେ ଶିଶୁ ସହିତ ସ୍ୱାମୀ-ସ୍ତ୍ରୀ ମୃତ

ଯାଜପୁର,ଏନ୍ଏନ୍ଏସ୍: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ନେଉଳପୁର ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରୋଗୀ ନଥିବା ଏକ ଆମ୍ବୁଲାନ୍ସ ଏକ ବାଇକକୁ ଧକ୍କା ଦେବାରୁ ଜଣେ ଶିଶୁ ସମେତ ୩ ଜଣଙ୍କ ପ୍ରାଣହାନି ହୋଇଛି। ମୃତକମାନେ ହେଲେ କଟକ ସହରର ବିଡ଼ାନାସୀର ଗୋପାଳ ସାହିର ଶଙ୍କର ସାହୁ(୫୦), ତାଙ୍କ ସ୍ତ୍ରୀ ମାମିନା ସାହୁ (୪୨) ଓ କୁନିଝିଅ ସମ୍ପୂର୍ଣ୍ଣା ସାହୁ(୫)।

ସୂଚନା ଅନୁସାରେ ଶଙ୍କର ସାହୁ ନିଜର ସ୍ତ୍ରୀ ଓ ଝିଅକୁ ନେଇ କଟକରୁ ପାଣିକୋଇଲି ଆଡ଼କୁ ଯାଉଥିଲେ। ନେଉଳପୁର ଠାରେ ରାସ୍ତାକାମ ଯୋଗୁଁ ସବୁ ଯାନବାହନ ଗୋଟିଏ ପାଖ ଦେଇଯାଉଥିଲେ। ଏହି ସମୟରେ ବିପରୀତ ଦିଗରୁ ଆମ୍ବୁଲାନ୍ସ ଆସି ନେଉଳପୁର ଛକ ଉପରେ ଧକ୍କା ଦେଇଥିଲା। ଫଳରେ ବାଇକରେ ଥିବା ୩ ଜଣ ତଳେ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ଏହା ପରେ ଆମ୍ବୁଲାନ୍ସର ଡ୍ରାଇଭର ସେଠାରୁ ଫେରାର ହୋଇଯାଇଥିଲା। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ୩ ମୃତଦେହ ଉଦ୍ଧାର କରିଛି। ପୁଲିସ ମୃତ ଦେହଗୁଡ଼ିକ ପୋଷ୍ଟମର୍ଟମ ପାଇଁ ପଠାଇ ଥିବାବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି।

ଅପରପକ୍ଷେ ଆମ୍ବୁଲାନ୍ସ ଓ ବାଇକ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତେଜିତ ଲୋକେ ଆମ୍ବୁଲାନ୍ସ ଭଙ୍ଗାରୁଜା କରିଛନ୍ତି।