ଆମାଜନରୁ ଛଟେଇ ହେବେ ୧୦ ହଜାର କର୍ମଚାରୀ

ୱାଶିଂଟନ,ଏଜେନ୍ସି: ଆମାଜନରୁ ଛଟେଇ ହେବେ ୧୦,୦୦୦ କର୍ମଚାରୀ । ବିଶ୍ବର ସବୁଠୁ ବଡ ଇ-କମର୍ସ କମ୍ପାନୀ ଆମାଜନ ପ୍ରାୟ ୧୦ ହଜାର କର୍ମଚାରୀଙ୍କୁ ବିଦା କରିବାକୁ ଯୋଜନା କରୁଛି । ଚଳିତ ସପ୍ତାହ ସୁଦ୍ଧା କର୍ମଚାରୀଙ୍କ ଛଟେଇ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବା କେତେକ ଅନ୍ତର୍ଜାତୀୟ ମିଡିଆରେ ରିପୋର୍ଟ ପ୍ରକାଶ ପାଇଛି । ଟ୍ବିଟର ଓ ମେଟା ପରେ ଖର୍ଚ୍ଚ କାଟ୍ କରିବାକୁ ଆମାଜନ ଏହି ନିଷ୍ପତ୍ତି ନେଇଛି ।

ଯଦି କମ୍ପାନୀର ୧୦ ହଜାର କର୍ମଚାରୀ ଛଟେଇ ହୁଅନ୍ତି ତେବେ ଏହା ଆମାଜନ ଇତିହାସର ସବୁଠୁ ବଡ ଛଟେଇ ହେବ । ତେବେ ପ୍ରକୃତରେ କେତେ ସଂଖ୍ୟକ କର୍ମଚାରୀଙ୍କୁ ଛଟେଇ କରାଯିବ ତାହା ସ୍ପଷ୍ଟ ହୋଇନି । ବର୍ତ୍ତମାନ ସାରା ବିଶ୍ବରେ ଆମଜନର ୧୬ ଲକ୍ଷ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ନିଉୟର୍କ ଟାଇମ୍ସ ଅନୁଯାୟୀ, ବିଶ୍ବରେ ମହାମାରୀ ପିକ୍ ଛୁଇଁଥିବା ସମୟରେ ଅନଲାଇନ ସପିଂ ପ୍ଲାଟଫର୍ମ ଆମାଜନ ଅଦ୍ଭୁତପୂର୍ବ ଲାଭ ଅର୍ଜନ କରିଥିଲା । କିନ୍ତୁ ଚଳିତ ବର୍ଷ ଆରମ୍ଭରୁ ଆମାଜନର ଅଭିବୃଦ୍ଧି ଧିମା ରହିଛି । ଉଚ୍ଚ ମୁଦ୍ରାସ୍ଫୀତି ଏହି ଟେକ୍ ଜିଆଣ୍ଟ କମ୍ପାନୀର ବିକ୍ରି ଗୁରୁତର ପ୍ରଭାବିତ କରିଛି । ତେଣୁ ଖର୍ଚ୍ଚ କାଟ ପାଇଁ କମ୍ପାନୀ କର୍ମଚାରୀଙ୍କୁ ଛଟେଇ ପାଇଁ ନିଷ୍ପତ୍ତି ନେଇଛି ।

ଏହାପୂର୍ବରୁ ପ୍ରଥମେ ଟ୍ବିଟର କିଣିବା ପରେ ସବୁଠୁ ବଡ ଧନୀ ଏଲନ ମସ୍କ କମ୍ପାନୀର ସିଇଓ ସମେତ ୩ ହଜାରରୁ ଅଧିକ କର୍ମଚାରୀଙ୍କୁ ବିଦା କରିଥିଲେ । ପରେ ମେଟା ନିଜର ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କରିଥିଲା । ଚଳିତ ବର୍ଷ ମେଟାର ଷ୍ଟକ ମୂଲ୍ୟରେ ୭୦ ପ୍ରତିଶତରୁ ଅଧିକ ହ୍ରାସ ହୋଇଥିଲା । ତେଣୁ ଖର୍ଚ୍ଚ କାଟ କରି କମ୍ପାନୀର ଆର୍ଥିକ ସ୍ଥିତିରେ ସୁଧାର ଆଣିବାକୁ କମ୍ପାନୀ ସିଇଓ ମାର୍କ ଜୁକରବର୍ଗ ଏହି କଠୋର ନିଷ୍ପତ୍ତି ନେଇଥିଲେ । ଏବେ ଏହି ଛଟେଇ ରେସ୍‌ରେ ଆମାଜନ ମଧ୍ୟ ସାମିଲ ହୋଇଛି ।