ମଦ୍ୟପାନ କରି କନ୍ୟାଶ୍ରମର ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ ବ୍ରାହ୍ମଣୀ କସ୍ତୁରୀବା ଗାନ୍ଧି କନ୍ୟାଶ୍ରମରେ ଛାତ୍ରୀ ଓ ଶିକ୍ଷୟତ୍ରୀଙ୍କୁ ସ୍କୁଲର ଜଣେ ଶିକ୍ଷକ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି । ଏହାକୁ କେନ୍ଦ୍ର କରି ଅଭିଭାବକମାନେ ସ୍କୁଲରେ ତାଲା ପକାଇ ଦେଇଛନ୍ତି । ମିଳିଥିବା ରିପୋର୍ଟ ମୁତାବକ, ପ୍ରତାପ ନନ୍ଦ ନାମକ ଶିକ୍ଷକପ୍ରତିଦିନ ମଦ୍ୟପାନ କରି ସ୍କୁଲକୁ ଆସି ଛାତ୍ରୀ ଓ ଶିକ୍ଷୟତ୍ରୀଙ୍କୁ ଅସଦାଚରଣ କରୁଥିବା ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସେଥିପାଇଁ ଆଜି ସକାଳୁ ଅଭିଭାବକମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍କୁଲରେ ତାଲା ପକାଇଛନ୍ତି । କେବଳ ଏତିକି ନୁହେଁ ତୁରନ୍ତ ଉକ୍ତ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବୀ କରିଛନ୍ତି । ଏନେଇ ବ୍ଲକ ଶିକ୍ଷାଧିକାରୀ ଗୋବର୍ଦ୍ଧନ ଭୋଇଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେରେ ମୋ ପାଖରେ ଖବର ଆସିଛି । ଏବିଇଓ ନାରାୟଣ ଭୋଇଙ୍କୁ ରିପୋର୍ଟ ପ୍ରଦାନ କରିବା ପାଇଁ କହିଛି ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।