ମେ’ ସୁଦ୍ଧା ଆମେରିକାର ସମସ୍ତ ବୟସ୍କଙ୍କୁ ଲାଗିବ ଭ୍ୟାକ୍ସିନ

ୱାଶିଂଟନ୍: ଆମେରିକାରେ ଟିକାକରଣ କାର୍ଯ୍ୟକ୍ରମ ଜୋରସୋରରେ ଆଗେଇ ଚାଲିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ, ଆମେରିକାର ସମସ୍ତ ବୟସ୍କ ନାଗରିକଙ୍କୁ ମେ’ ସୁଦ୍ଧା ଭ୍ୟାକ୍ସିନ ଦିଆଯିବ। ନିର୍ବାଚନ ପ୍ରଚାର ସମୟରେ ୧୦୦ ଦିନ ମଧ୍ୟରେ ୧୦ କୋଟି ଲୋକଙ୍କୁ ଟିକା ଲଗାଯିବ ବୋଲି କୁହାଯାଇଥିଲେ ହେଁ ଏବେ ଏହି ଲକ୍ଷ୍ୟକୁ ୬୦ ଦିନରେ ପୂରଣ କରାଯିବ। ଏନେଇ ବାଇଡେନ ଆମେରିକାର ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଆମେରିକାରେ ବର୍ତ୍ତମାନ ସୁଦ୍ଧା ୩ କୋଟିରୁ ଅଧିକ ଲୋକ ଭ୍ୟାକ୍ସିନ ଲଗାଇ ସାରିଲେଣି। ପ୍ରତିଦିନ ପାଖାପାଖି ୨୦ଲକ୍ଷ ଲୋକଙ୍କୁ ଭ୍ୟାକ୍ସିନ ଦିଆଯାଉଛି। ଭାରତରେ ବର୍ତ୍ତମାନ ସୁଦ୍ଧା ୨.୫୬ କୋଟିରୁ ଅଧିକ ଲୋକ ଟିକା ଲଗାଇଛନ୍ତି। ଫଳରେ ଟିକା ଲଗାଇବା ମାମଲାରେ ଆମେରିକା ପରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ଭାରତରେ ମଧ୍ୟ ପ୍ରତିଦିନ ପାଖାପାଖି ୨୦ଲକ୍ଷ ଲୋକ ଟିକା ନେଉଛନ୍ତି। ଆମେରିକାଠୁ ପ୍ରାୟ ମାସକ ପରେ ଭାରତରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।